୫ ମୃତ, ୯ ଗୁରୁତର
ରୋଶଣି ବେଳେ ମାଡ଼ିଗଲା ଟ୍ରକ୍
କେନ୍ଦୁଝର, ୨୮ା୬ (ଆପ୍ର): ସ୍ଥାନୀୟ ଷଠିଘରସାହି ନିକଟରେ ବରଯାତ୍ରୀ ରୋଶଣିରେ ଯାଉଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ିଯାଇଛି । ଫଳରେ ୫ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଷଠିଘରସାହି ନିକଟରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝର ପୁରୁଣା ସହର ସ୍ଥିତ ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅର ବାହାଘର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତଙ୍କ ସହ ହେବାର ଥିଲା । ବରଯାତ୍ରୀ ମାନେ ରାତି ପ୍ରାୟ ସାଢ଼େ ଗୋଟେ ସମୟରେ ଡିଜେ ବଜାଇ ରୋଶଣି କରି ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ । ଝିଅ ଘର ଠାରୁ କିଛି ଦୂରରେ ପହଞ୍ଚିଥିବା ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତୁ୍ୟ ହୋଇଯାଇଥିଲା । ୯ ଜଣ ଗୁରୁତର ହୋଇ ହୋଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚିି ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାହାର ମୁଣ୍ଡ ତ କାହାର ପେଟ ଫାଟି ଯାଇଥିବାରୁ ଶବ ଚିହ୍ନିବା ସମ୍ଭବ ହୋଇ ନ ଥିଲା । ବରର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହିର ତିନି ଜଣଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ବର ଫେରାର ହୋଇଯାଇଛି । ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଛି । ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଘଟଣାସ୍ଥଳରେ ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏକ ଓଭରବ୍ରିଜ ଦାବିରେ ସାହି ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ ମୃତଦେହ ଉଠାଇବାକୁ ଦେଇନଥିଲେ । ପୁଲିସ ଓ ତହସିଲଦାର ପହଞ୍ଚିି ଲୋକଙ୍କ ସହ ଆଲୋଚନା କରିବା ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲେ । ହେଲେ ରାସ୍ତା ଅବରୋଧ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ସହିତ ସେମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ।