ଭାରତ-ଲେବାନନ୍ ସେମିଫାଇନାଲ୍

ସାଫ୍ ଚାମ୍ପିଅନ୍ସିପ୍ ୨୦୨୩
ବେଙ୍ଗାଲୁରୁ, ୨୮ା୬ (ଏଜେନ୍ସି): ସାଫ୍ ଚାମ୍ପିଅନ୍ସିପ୍ରେ ସେମିଫାଇନାଲ୍ ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଛି । ଆୟୋଜକ ଭାରତ ଶନିବାର ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଲେବାନନ୍କୁ ଭେଟିବ । ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍ରେ କୁଏତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ ।
ଗ୍ରୁପ୍-ଏ’ରେ କୁଏତ (୭ ପଏଣ୍ଟ) ଓ ଭାରତ (୭ ପଏଣ୍ଟ) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ । ଗ୍ରୁପ୍-ବି’ରେ ଲେବାନନ୍ ୯ ପଏଣ୍ଟ ସହ ପ୍ରଥମ, ବାଂଲାଦେଶ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମାଳଦ୍ୱୀପ ୩ ପଏଣ୍ଟ ଓ ଭୁଟାନ କୌଣସି ପଏଣ୍ଟ ନ ପାଇ ଶେଷ ଦୁଇ ସ୍ଥାନ ପାଇଥିଲେ । ବୁଧବାର ଲିଗ୍ ପର୍ଯ୍ୟାୟର ଶେଷ ଦିନ ଲେବାନନ୍ ୧-୦ରେ ମାଳଦ୍ୱୀପକୁ ହରାଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ୩-୧ରେ ଭୁଟାନକୁ ମାତ୍ ଦେଇଥିଲା ।
ଲେବାନନ୍-ମାଳଦ୍ୱୀପ ମ୍ୟାଚ୍ରେ ଲେବାନନ୍ ପକ୍ଷରୁ ଅଧିନାୟକ ହସନ ମାଟୌକ ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ । ସେ ୨୪ତମ ମିନିଟ୍ରେ ଏକ ଫ୍ରିକିକ୍ରୁ ଏହି ଗୋଲ୍ ଦେଇଥିଲେ ।
ଭୁବନେଶ୍ୱର ଠାରେ ଆୟୋଜିତ ହିରୋ ଇଣ୍ଟର୍କଣ୍ଟିନେଣ୍ଟାଲ୍ କପ୍ରେ ଭାରତ ଓ ଲେବାନନ୍ ଟିମ୍ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ଚାମ୍ପିଅନ୍ ହୋଇଥିଲା । ସୁନୀଲ ଛେତ୍ରୀଙ୍କ ଟିମ୍ ପାଖରେ ଲେବାନନ୍କୁ ଆଉ ଥରେ ହରାଇବା ପାଇଁ ସୁଯୋଗ ରହିବ । ଭାରତୀୟ ଟିମ୍ ଘରେ ଚାରି ବର୍ଷର ଅପରାଜେୟ ଧାରାକୁ ବଜାୟ କରିବାକୁ ପ୍ରତିବଦ୍ଧ ବୋଲି ଅଧିନାୟକ ଛେତ୍ରୀ ଦୃଢ଼ କଣ୍ଠରେ କହିଛନ୍ତି । ଅନ୍ୟପଟେ, ଆଲେକ୍ସାଣ୍ଡର ଇଲିକ୍ଙ୍କ ପ୍ରଶିକ୍ଷଣପ୍ରାପ୍ତ ଟିମ୍ ହିସାବ ବରାବର କରିବାକୁ ଚାହିଁବ ।
ସାଫ୍ ଚାମ୍ପିଅନ୍ସିପ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ କୁଏତ ବିପକ୍ଷ ମ୍ୟାଚ୍କୁ ଡ୍ର’ ରଖିଥିଲା । କୁଏତ ବିପକ୍ଷ ମ୍ୟାଚ୍ରେ ଅତିରିକ୍ତ ସମୟ (୯୦+୨)ରେ ଅନୱର ଅଲୀଙ୍କ ଆତ୍ମଘାତୀ ଗୋଲ୍ ଆୟୋଜକ ଟିମ୍ର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲା । ଲେବାନନ୍ ଗ୍ରୁପ୍ ପର୍ଯ୍ୟାୟରେ ଚମକପ୍ରଦ ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍ ଜିତି ଟପ୍ପର୍ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *