ଆଜି ବାହୁଡ଼ା ଯାତ୍ରା
ସରିଲା ଆଡ଼ପ ଦର୍ଶନ
ପୁରୀ, ୨୭ା୬(ବୁ୍ୟରୋ): ସରିଲା ଜନ୍ମବେଦୀର ଲୀଳା । ଆଡପମଣ୍ଡପରେ ୬ ଦିନର ରହଣି ପରେ ଚକ୍ରରାଜ ସୁଦର୍ଶନ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସାଥିରେ ବୁଧବାର ଶ୍ରୀମନ୍ଦିର ବାହୁଡିବେ ମହାବାହୁ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ନାକଚଣା ଦ୍ୱାର ସମ୍ମୁଖ ଶରଧା ବାଲିରେ ଠାକୁରଙ୍କ ଅପେକ୍ଷାରେ ରହିଛି ତିନି ରଥ । ଶ୍ରଦ୍ଧାଳୁମାନେ ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଥିବାବେଳେ ସୃଷ୍ଟି ହୋଇଛି ଭାବ ଓ ଭକ୍ତିର ପରିବେଶ ।
ଆଷାଢ ଶୁକ୍ଳପକ୍ଷ ଦଶମୀ ବୁଧବାର ରଥାରୂଢ ହୋଇ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ । ବୁଧବାର ଭୋର ୪ ଟାରେ ମଙ୍ଗଳ ଆଳତି ହେବ । ଠାକୁର ଖେଚୁଡି ଖାଇସାରି ପହଣ୍ଡିବିଜେ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ୧୨ଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ଏହାର ଅବ୍ୟବହିତ ପୂର୍ବରୁ ଦକ୍ଷିଣମୋଡ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ସଜ ହୋଇ ରହିଛିନ୍ତି ତିନିରଥ । ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ତନ୍ନ ତନ୍ନ କରି ରଥ ଯାଞ୍ଚ କରିଛନ୍ତି । ପାଗ ଭଲ ଥିବାରୁ ଏଥର ବାହୁଡା ଯାତ୍ରାରେ ପ୍ରବଳ ଜନ ସମାଗମ ଆଶା କରାଯାଉଛି । ମଙ୍ଗଳବାର ଲକ୍ଷ ଲକ୍ଷ ଭକ୍ତ ଆଡପ ମଣ୍ଡପରେ ଦାରୁଦିଅଁଙ୍କ ସନ୍ଧ୍ୟା ଦର୍ଶନ କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବି ସଅଳ ହୋଇଥିଲା । ଶୀଘ୍ର ଆଡ଼ପ ଅବଢ଼ା ବାହାରିଥିବାରୁ ଭକ୍ତମାନେ ସୁବିଧାରେ ପାଇଥିଲେ । ଅନ୍ୟପକ୍ଷରେ ବାହୁଡା ଯାତ୍ରା ପ୍ରସ୍ତୁତି ଲାଗି ସନ୍ଧ୍ୟା ଦର୍ଶନ ୫ଟାରେ ବନ୍ଦ କରାଯାଇଥିଲା । ଏହା ପରେ ଗୁଣ୍ଡିଚା ମନ୍ଦିର ଶୋଧ କରାଯାଇଥିଲା । ସନ୍ଧ୍ୟାରେ ତିନି ରଥର ଚାର ବନ୍ଧା ଯାଇଥିଲା । ଆଡପମଣ୍ଡପରେ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିଘଣ୍ଟ ଅନୁଯାୟୀ, ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ବାହୁଡା ପରଦିନ ଅର୍ଥାତ୍ ଗୁରୁବାର ସୁନାବେଶ । ବାହୁଡା ଦିନହିଁ ତିନି ରଥକୁ ସିଂହଦ୍ୱାରରେ ପହଞ୍ଚିାଇବା ଲାଗି ପ୍ରଶାସନ ସ୍ଥିର କରିଛି । ଆବଶ୍ୟକ ପଡିଲେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇ ରାତିରେ ତିନି ରଥ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଇବା ଯୋଜନା ରହିଛି । ଯଦି କୌଣସି କାରଣରୁ ତିନିରଥ ସିଂହଦ୍ୱାରରେ ପହଞ୍ଚି ନପାରନ୍ତି ତେବେ ଗୁରୁବାର ଭୋର ୫ଟାରୁ ରଥ ଟଣାଯିବ । ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପୋଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବାହୁଡା ଯାତ୍ରାର ନୀତି ନିଘଣ୍ଟ- ଭୋର ୪ଟାରେ ମଙ୍ଗଳଆଳତୀ, ମଇଲମ-୪ଟା୧୫, ତଡପଲାଗି-୪ଟା୩୦, ରୋଷହୋମ – ୪ଟା୩୦, ଅବକାଶ- ୫ଟା, ସୁର୍ଯ୍ୟ ପୂଜା ୫ଟା୧୫, ଦ୍ୱାରପାଳ ପୂଜା-୫ଟା୩୦, ବେଶଶେଷ- ୫ଟା ୩୦, ଗୋପାଳ ବଳ୍ଲଭ ଓ ସକାଳଧୂପ (ଖେଚୁଡି ଭୋଗ) ୫ଟା୪୫ରୁ ୬ଟା ୪୫, ସେନାପଟାଲାଗି ୭ଟାରୁ ୧୧ଟା୩୦, ମଙ୍ଗଳାର୍ପଣ-୧୧ଟା ୪୫, ବାହୁଡା ପହଣ୍ଡି ଆରମ୍ଭ-୧୨ଟା,ପହଣ୍ଡି ଶେଷ-୨ଟା ୩୦, ବେଶ ଶେଷ- ୧ଟାରୁ ୨ଟା ୩୦, ଛେରା ପହଁରା-୨ଟା ୩୦ରୁ ୩ଟା୩୦, ଚାରମାଳ ଫିଟିବା ଓ ଘୋଡା ଲାଗିବା-୩ଟାରୁ ୪ଟା, ରଥଟଣା-୪ଟାରୁ ଆରମ୍ଭ, ରଥଟଣା ଶେଷ ହେଲା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।