ଅକ୍ଟୋବର ୫ରେ ଇଂଲଣ୍ଡ-ନୁ୍ୟଜିଲାଣ୍ଡ ଉଦ୍ଘାଟନୀ

୨୦୨୩ ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି
ଦୁବାଇ, ୨୭ା୬ (ଏଜେନ୍ସି): ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନିକିଆ ବିଶ୍ୱକପ୍ ୨୦୨୩ ସଂସ୍କରଣର କାର୍ଯ୍ୟସୂଚୀ ଜାରି କରିଛି । ଅକ୍ଟୋବର ୫ରେ ଇଂଲଣ୍ଡ-ନୁ୍ୟଜିଲାଣ୍ଡ ମ୍ୟାଚ୍ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ, ଯାହାକି ଅହମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ । ୧୫ରେ ଅହମଦାବାଦ ଠାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।
ଦିନିକିଆ ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଜୁନ୍ ୨୬ରୁ ଠିକ୍ ୧୦୦ ଦିନ ପରେ ଅକ୍ଟୋବର ୫ରେ ପ୍ରତିଯୋଗିତା ଆରମ୍ଭ ହେବ । ଏ ଯାବତ କ୍ରିକେଟ୍ ମହାକୁମ୍ଭର ୧୨ ସଂସ୍କରଣରେ ଖେଳାଯାଇଛି । ୨୦୨୩ ସଂସ୍କରଣରେ ନଭେମ୍ବର ୧୫ରେ ମୁମ୍ବାଇ ଠାରେ ପ୍ର୍ରଥମ ସେମିଫାଇନାଲ୍, ୧୬ରେ କୋଲକାତା ଠାରେ ଦ୍ୱିତୀୟ ସେମିଫାଇନାଲ୍ ଏବଂ ୧୯ରେ ଅହମଦାବାଦ ଠାରେ ଫାଇନାଲ୍ ମ୍ୟାଚ୍ ଆୟୋଜିିତ ହେବ । ମୋଟ୍ ୧୦ ଟିମ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।
ଟିମ୍ ଇଣ୍ଡିଆ ଅକ୍ଟୋବର ୮ରେ ଚେନ୍ନାଇ ଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ । ଭାରତ ଏହାପରେ ୧୧ରେ ଦିଲ୍ଲୀ ଠାରେ ଆଫଗାନିସ୍ତାନକୁ, ୧୫ରେ ଅହମଦାବାଦ ଠାରେ ପାକିସ୍ତାନକୁ, ୧୯ରେ ପୁନେ ଠାରେ ବାଂଲାଦେଶକୁ, ୨୨ରେ ଧର୍ମଶାଳା ଠାରେ ନୁ୍ୟଜିଲାଣ୍ଡକୁ, ୨୯ରେ ଲକ୍ଷ୍ନୌ ଠାରେ ଇଂଲଣ୍ଡକୁ, ନଭେମ୍ବର ୨ରେ ମୁମ୍ବାଇ ଠାରେ କ୍ୱାଲିଫାୟର୍-୨କୁ, ୫ରେ କୋଲକାତା ଠାରେ ସାଉଥ୍ ଆଫ୍ରିକାକୁ ଏବଂ ୧୧ରେ ବେଙ୍ଗାଲୁରୁ ଠାରେ କ୍ୱାଲିଫାୟର୍-୧ ଟିମ୍କୁ ଭେଟିବ ।
୧୦ ସହରରେ ଖେଳାଯିବ ମୁକାବିଲା
୪୬ ଦିନ ଯାଏଁ ଚାଲିବାକୁ ଥିବା ବିଶ୍ୱକପ୍ରେ ମୋଟ୍ ୪୮ ମ୍ୟାଚ୍ ଆୟୋଜିତ ହେବ । ମୋଟ୍ ୧୦ ସହରରେ ଲିଗ୍ ଓ ନକ୍ଆଉଟ୍ ପର୍ଯ୍ୟାୟର ମ୍ୟାଚ୍ ଖେଳାଯିବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍, କୋଲକାତାର ଇର୍ଡେନ୍ ଗାର୍ଡେନ୍, ବେଙ୍ଗାଲୁରୁର ଏନ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍, ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍, ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍, ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ହାଇଦରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍, ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍, ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍, ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମୁକାବିଲା ହେବ । ଏତଦ୍ଭିନ୍ନ, ହାଇଦରାବାଦ, ଗୌହାଟୀ ଓ ତିରୁବନନ୍ତପୁରମ୍ରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ଯାଏଁ ଅଭ୍ୟାସ ମ୍ୟାଚ୍ ଆୟୋଜିତ ହେବ ।
ଯୋଗ୍ୟତା ଅର୍ଜନ କରିସାରିଛନ୍ତି ଆଠ ଟିମ୍
୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ଆୟୋଜକ ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ନୁ୍ୟଜିଲାଣ୍ଡ, ସାଉଥ୍ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ବାକି ଦୁଇ ଟିମ୍ ଯୋଗ୍ୟତା ପର୍ଯ୍ୟାୟରୁ ଆସିବେ । ଏହି ଦୁଇ ସ୍ଥାନ ପାଇଁ ୧୦ ଟିମ୍ – ଆୟରଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ନେପାଳ, ନେଦରଲାଣ୍ଡ୍ସ, ଓମାନ୍, ସ୍କଟ୍ଲାଣ୍ଡ, ୟୁଏଇ, ଆମେରିକା ଓ ଜିମ୍ବାୱେ ମଧ୍ୟରେ ମୁକାବିଲା ଚାଲିଛି ।
ନକ୍ଆଉଟ୍ ମ୍ୟାଚ୍ ପାଇଁ ରିଜର୍ଭ ଦିବସ
ବିଶ୍ୱକପ୍ର ନକ୍ଆଉଟ୍ ମୁକାବିଲା ପାଇଁ ରିଜର୍ଭ ଦିବସ ରଖାଯାଇଛି । ଅର୍ଥାତ୍ ଦୁଇ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରହିବ । ବିଶ୍ୱକପ୍ରେ ପୂର୍ବରୁ ମଧ୍ୟ ନକ୍ଆଉଟ୍ ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି ।
ସେହବାଗ-ମୁରଲୀ ଚାହାନ୍ତି ଭାରତ-ପାକ୍ ଫାଇନାଲ୍
ପୂର୍ବତନ ଭାରତୀୟ ବ୍ୟାଟର୍ ବୀରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କା ପୂର୍ବତନ ସ୍ପିନର୍ ମୁôଥୟା ମୁରଲୀଧରନ୍ ଭାରତକୁ ଫାଇନାଲ୍ ପାଇଁ ମଜଭୁତ ଦାବିଦାର ବିବେଚନା କରିଛନ୍ତି । ସେହବାଗ ଭାରତ-ଅଷ୍ଟ୍ରେଲିଆକୁ ବାଛିଥିବା ବେଳେ ମୁରଲୀ ଭାରତ-ଇଂଲଣ୍ଡକୁ ଚୟନ କରିଛନ୍ତି । ଉଭୟ କହିଛନ୍ତି ଯେ ସେମାନେ ଚାହାନ୍ତି ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ହେଉ, ତେବେ ଏହା କଷ୍ଟସାଧ୍ୟ । ଏହି ଦୁଇ ପୂର୍ବତନ କ୍ରିକେଟର୍ ଟ୍ରଫି ଅନାବରଣ ସମୟରେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *