ଏକାମ୍ର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୬(ବୁ୍ୟରୋ): ବହୁ ପ୍ରତୀକ୍ଷିତ ଏକାମ୍ର ପ୍ରକଳ୍ପ ପାଇଁ ଧୁମ୍ଧାମ୍ରେ ଚାଲିଛି ଭୂମିପୂଜନ କାର୍ଯ୍ୟକ୍ରମ । ଦ୍ୱିତୀୟ ଦିନରେ ଅଗ୍ନି ସ୍ଥାପନ ସହ ଯଜ୍ଞ ଆୟୋଜନ ହୋଇଥିଲା । ବୁଧବାର ଉତ୍ସବର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ତା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଏକାମ୍ର କ୍ଷେତ୍ର ପରିଦର୍ଶନ କରି ଆୟୋଜନର ସମୀକ୍ଷା କରିଥିଲେ ।
ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ସେ ଦେଖିଥିଲେ । ସେଠାରୁ ସେ ଯଜ୍ଞ ସ୍ଥଳକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ପୂର୍ଣ୍ଣାହୁତି ଦେଇଥିଲେ । ପରେ ସେ ସେବାୟତମାନଙ୍କ ସହ କଥାବାର୍ତ୍ତା ହୋଇ ଆଉ କ’ଣ କ’ଣ ବ୍ୟବସ୍ଥା କରାଯାଇପାରିବ ସେ ସମ୍ପର୍କରେ ପଚାରି ବୁଝିଥିଲେ । ବୁଧବାର କାର୍ଯ୍ୟକ୍ରମରେ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ । ଶେଷରେ ବୁଧବାର ହେବାକୁ ଥିବା ଉତ୍ସବରେ ପାର୍କିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
ପ୍ରକାଶ ଥାଉ, ଏକାମ୍ର ପ୍ରକଳ୍ପ ପାଇଁ ଜୁନ୍ ୨୬ରୁ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତିନି ଦିନ ଧରି ଏଠାରେ ଗ୍ରାଣ୍ଡ ସେରିମୋନିର ଆୟୋଜନ କରାଯାଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଏକାମ୍ର ପ୍ରକଳ୍ପ ୨୦୧୯ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ୮୦ ଏକର ଜାଗାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଏବଂ ପ୍ରତ୍ନତାତ୍ତ୍ୱିକ ଐତିହର ବିକାଶ କରାଯିବ । ଟ୍ରାଫିକ ଚଳାଚଳ ପାଇଁ ୧୨ରୁ ୧୮ ମିଟର ପ୍ରଶସ୍ତ ରାସ୍ତା ବ୍ୟବସ୍ଥା ମଧ୍ୟ କରାଯିବ । ଗାଡ଼ିମୋଟର ବିନ୍ଦୁସାଗର ଏଣ୍ଟ୍ରି ପଏଣ୍ଟରେ ନିର୍ମାଣ ହେଉଥିବା ପାର୍କିଂ ସ୍ଥାନରେ ରଖାଯିବ । ବିନ୍ଦୁସାଗରରୁ ଅନନ୍ତ ବାସୁଦେବ ମନ୍ଦିର ଯାଏ ରାସ୍ତା ଚଉଡ଼ା କରି ଶ୍ରାଦ୍ଧକର୍ମ ପାଇଁ ଅଧିକ ସ୍ଥାନ ମିଳିବ ।
ଦେଢ ବର୍ଷରେ ସରିବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୮୦ କୋଟି ଟଙ୍କା । ଏହି ୮୦ ଏକର ଜାଗା ପାଇଁ ୧୦୧ ଜଣଙ୍କ ଠାରୁ ୧୧୪ଟି ପ୍ଲଟ ସିଧାସଳଖ କିଣାଯାଇଛି । ସେମାନଙ୍କୁ ଶିଳାନ୍ୟାସ ଦିନ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ । ଆଗକୁ ୫.୭ ଏକର ଜାଗା ଅଧିଗ୍ରହଣ କରାଯିବ ।