କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କର
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ
ଭୁବନେଶ୍ୱର,୨୭ା୬(ବୁ୍ୟରୋ): କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଅର୍ଥନୈତିକ ମେରୁଦଣ୍ଡ କେନ୍ଦୁପତ୍ର । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ୱାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଦୋହରାଇଛନ୍ତି । ପ୍ରକାଶ ଥାଉ କି ଏଥିପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଗତ ନଭେମ୍ବର ୨୫ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦାବି କରିଥିଲେ । ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ ।