୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା
ଭୁବନେଶ୍ୱର, ୨୬ା୬ (ବୁ୍ୟରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଲଘୁ·ପ କ୍ଷେତ୍ରରେ ପରିଣତ ହୋଇଛି । ମୌସୁମୀ ସାଙ୍ଗକୁ ସକ୍ରିୟ ଲଘୁ·ପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଉଲ୍ଲେଖ କରି ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୧ ଜିଲ୍ଲା ହେଲା- ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ଼ ଓ କେନ୍ଦୁଝର । ଉକ୍ତ ଜିଲ୍ଲାଗୁଡିକରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିିଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ଉକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୪ ଘଣ୍ଟାଯାଏ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପଜନିତ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମି.ମି. ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୮.୬ ମିମିଠାରୁ ୨୬୯ ପ୍ରତିଶତ ଅଧିକ । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୧୦୧.୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୭.୩ ମିମି ତୁଳନାରେ ୧୨୮୫ ପ୍ରତିଶତ ଅଧିକ ।
ଗତ ୨୪ ଘଣ୍ଟାର ରେକର୍ଡ ଅନୁଯାୟୀ, ବଅଁରପାଳରେ ୧୯୮.୭, ପାଇକମାଳରେ ୧୯୨, ଅନୁଗୁଳରେ ୧୭୦, ପାଟନାଗଡରେ ୧୬୪, ପଦ୍ମପୁରରେ ୧୬୦, ଝାରବନ୍ଧରେ ୧୪୫, କଣିହାଁରେ ୧୪୦, ହିନେ୍ଦାଳରେ ୧୩୯, ଦେବଗଡରେ ୧୨୩, ଜମନକିରାରେ ୧୧୦.୬, ତରଭାରେ ୧୦୮.୬, ଲହୁଣିପଡାରେ ୧୦୫, କଣ୍ଟାମାଳରେ ୧୦୪, କୁଚିଣ୍ଡାରେ ୧୦୩.୭ ଓ ବୌଦ୍ଧରେ ୧୦୦ ମିଲି ମିଟର ବର୍ଷା ହୋଇଛି ।
ମହାନଦୀର ଉପରମୁଣ୍ଡରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଧୀରେ ଧୀରେ ବଢୁଛି ହୀରାକୁଦ ଜଳସ୍ତର । ରବିବାର ହୀରାକୁଦ ଜଳସ୍ତର ୬୦୦.୪୫ ଫୁଟ ଥିଲା, ସୋମବାର ବୃଦ୍ଧି ପାଇ ୬୦୧.୩୯ ଫୁଟରେ ପହଞ୍ଚିଛି । ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି । ରବିବାର ଇନଫ୍ଲୋ ମାତ୍ର ୪୩୩୨ କୁ୍ୟସେକ ଥିବା ବେଳେ ସୋମବାର ତାହା ବଢି ୪୪ ହଜାର ୨୪୫ କୁ୍ୟସେକରେ ପହଞ୍ଚିଛି । ଖାସ୍କରି କଲମା ବ୍ୟାରେଜର କିଛି ଗେଟ୍ ଓ କେଲୋର କିଛି ଗେଟ୍ ଖୋଲାଯାଇଥିବାରୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ହୋଇଛି ।