ପହଞ୍ଚପାରିଲାନି ନନ୍ଦିଘୋଷ
ଦକ୍ଷିଣମୋଡ଼ ନୀତିରେ ବିଭ୍ରାଟ
ପୁରୀ,୨୫ ।୬ (ବୁ୍ୟରୋ): ଚଳିତବର୍ଷ ରଥଯାତ୍ରାରେ ଥରେ ନୁହେଁ,ବାରମ୍ବାର ବିଶୃଙ୍ଖଳା ଘଟିବାରେ ଲାଗିଛି । ମହାପ୍ରଭୁ ଘୋଷଯାତ୍ରାଠୁ ବାହାରିବା ଠାରୁ ଆରମ୍ଭ କରି ଦକ୍ଷିଣମୋଡ ପର୍ଯ୍ୟନ୍ତ ବଶୃଙ୍ଖଳା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଫଳରେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଶ୍ରୀମନ୍ଦିର ପରମ୍ପରାକୁ ଖୁଲମଖୋଲା ଉଲଘଂନହେଉଛି । ହେରାପଞ୍ଚମୀ ନୀତି ଶନିବାର ରାତିରେ ଅନୁଷ୍ଠିତ ହେବାକୁ ଥିବା ବେଳେ ତାହା ରବିବାର ସକାଳେ ପାଳିତ ହୋଇଛି ।ଯାହା ଦ୍ୱାରା ଠାକୁରଙ୍କ ନୀତିକାନ୍ତିରେ ମାତ୍ରାଧିକ ବିଳମ୍ବ ହୋଇଛି । ସେହିପରି ଆସନ୍ତା ୨୮ରେ ବାହୁଡ଼ା ଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରବିବାର ତିନି ରଥଙ୍କ ଦକ୍ଷିଣମୋଡ଼ କରାଯିବା କଥା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିଛନ୍ତି । ମାତ୍ର ସନ୍ଧ୍ୟା ହୋଇଯିବାରୁ ରଥ ଟଣା ବନ୍ଦ କରାଯାଇଥିଲା । ପୁଣି ସୋମବାର ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଟଣାଯାଇ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଏବେ ଶ୍ରୀଗୁଣ୍ଡିଚାମନ୍ଦିର ଆଡପମଣ୍ଡପରେ ଅବସ୍ଥାନ କରିଛନ୍ତି । ଚଳିତବର୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ହାତଛଡା କରିବାକୁ ଚାହିଁନାହାନ୍ତି । ଫଳରେ ଶରଧାବାଲି ଓଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳଗହିଳିଚହଳି । ଏସବୁ ଭିତରେ ରବିବାର ଠାକୁରଙ୍କ ନୀତିରେ ପୁଣି ବିଭ୍ରାଟ ହୋଇଛି । ରବିବାର ସକାଳ ଦ୍ୱାର ଫିଟାଯିବା ପରେ ଭିତରଶୋଧ କରାଯାଇ ୯ଟା ୨୦ରେ ମଙ୍ଗଳଆଳତି ହୋଇଥିଲା । ୧୦ଟାରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ୧୨ଟା ୩୦ରେ ସକାଳ ଧୂପ ଓ ଭୋଗମଣ୍ଡପ ଶେଷ ହେବା ପରେ ୨ଟା୨ଠରେ ଆଜ୍ଞାମାଳ ବିଜେ ହୋଇଥିଲା । ତିନିଠାକୁରଙ୍କ ଆଜ୍ଞାମାଳ ନେଇ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିରସମ୍ମୁଖରେ ରହିଥିବା ତିନିରଥକୁ ବାହୁଡା ବିଜେ ଲାଗି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ । ଏହାପରେ ବିଜେ କାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ସାଢ଼େ ୨ଟା ୫୫ରେ ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା । ପୋଲିସ କର୍ମଚାରୀ ଓ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡଶଙ୍ଖ ପର୍ଯ୍ୟନ୍ତ ଦର୍ପଦଳନରଥକୁ ଟାଣିନେଇଥିଲେ । ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଟାଣି ନିଆଯାଇଥିଲା । ଅପରାହ୍ଣ ୫ଟା ଠ୫ରେ ତାଳଧ୍ୱଜ ରଥ ଦକ୍ଷିଣମୋଡ଼ କରାଯାଇ ସନ୍ଧ୍ୟାରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା ।