ଏନ୍ଡିଏ ବନାମ ପିଡିଏ

ମିଶନ୍ ୨ଠ୨୪
ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବିରୋଧୀ ଦଳମାନଙ୍କ ତଥାକଥିତ ମହାମେଣ୍ଟର ସମ୍ଭାବ୍ୟ ନାମ ସାମ୍ନାକୁ ଆସିଛି । ତାହା ହେବ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରେଟିକ୍ ଆଲାଏନ୍ସ (ଏନ୍ଡିଏ) ଅନୁରୂପ ନାମ – ପାଟ୍ରିଓଟିକ୍ ଡେମୋକ୍ରେଟିକ୍ ଆଲାଏନ୍ସ (ପିଡିଏ) । ତେବେ ପିଡିଏ ନାମରେ ମୋହର ଲାଗିବ ଶିମଳା ବୈଠକରେ । ଶିମଳା ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ ।
ସୂତ୍ର ଅନୁଯାୟୀ, ସିପିଆଇ ମହାସଚିବ ଡି.ରାଜା ଶନିବାର ପାଟନା ଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେବା ମଧ୍ୟରେ ସମ୍ଭାବ୍ୟ ପିଡିଏ ନାମ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପିଡିଏର ହିନ୍ଦୀ ଅନୁବାଦ ରାଷ୍ଟ୍ରଭକ୍ତ ଲୋକତାନ୍ତ୍ରିକ ଗଠବନ୍ଧନ ହେବ ନାହିଁ । କାରଣ ରାଷ୍ଟ୍ରଭକ୍ତ ବା ରାଷ୍ଟ୍ରବାଦ ଭଳି ଶବ୍ଦକୁ ନେଇ ବିଜେପି ରାଜନୀତି କରୁଛି । ତାକୁ ଖଣ୍ଡନ କରିବା ଲାଗି ଦେଶଭକ୍ତ ଶବ୍ଦ ପ୍ରୟୋଗ କରାଯିବ ।
ନୂଆ ମେଣ୍ଟର ନାମ ୟୁପିଏ-୩ ହେବ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା । ପିଡିଏ ନାମ ନେଇ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ସମ୍ମତି ଦିଆଯାଇନାହିଁ । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରବିବାର ଡି. ରାଜାଙ୍କ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ବିରୋଧୀ ମେଣ୍ଟର ନାମ ପିଡିଏ ହୋଇପାରେ ବୋଲି କହିଛନ୍ତି । ପିଡିଏର ଭାଷାନ୍ତର ଦେଶଭକ୍ତ ଜନତାନ୍ତ୍ରିକ ଗଠବନ୍ଧନ ହୋଇପାରେ ବୋଲି ସେ ସୂଚନା ଦେବା ସହ କହିଛନ୍ତି, ଆମର ପ୍ରାଥମିକ ଉଦେ୍ଦଶ୍ୟ ଏନ୍ଡିଏକୁ ପରାସ୍ତ କରିବା ଏବଂ ଏହା ଉପରେ ସବୁ ବିରୋଧୀ ଦଳ ସହମତ । ଯେଉଁ ବିରୋଧୀ ଦଳମାନେ ଏକଜୁଟ୍ ହୋଇଛନ୍ତି, ସେମାନଙ୍କ ବିଚାରଧାରା ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ । ତେଣୁ ମେଣ୍ଟର ନାମ ସେହି ଅନୁସାରେ ହେବା ଆବଶ୍ୟକ । ତାମିଲନାଡ଼ୁରେ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଅଛି । ବିହାରରେ ଆମର ମେଣ୍ଟ ଅଛି । ତେଣୁ ଆମ ମେଣ୍ଟର ଏଭଳି ଏକ ନାମ ହେବା ଦରକାର ଯେଉଁଥିରୁ ଆମ ପ୍ରତିବଦ୍ଧତା ସୂଚୀତ ହେବ । ଉଲ୍ଲେଖଯୋଗ୍ୟ ଯେ, ୨୦୦୪ ଲୋକସଭା ନିର୍ବାଚନରେ ଏନ୍ଡିଏ ହାରିଯିବା ପରେ କଂଗ୍ରେସ ବାମ ସାମ୍ମୁଖ୍ୟ ଓ ଅନ୍ୟ ବିଜେପି ବିରୋଧୀ ଦଳମାନେ ମିଶି କେନ୍ଦ୍ରରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ବା ୟୁପିଏ ସରକାର ଗଢ଼ିଥିଲେ । ୨୦୧୫ରେ ବିହାରରେ ବିଜେପି ବିରୋଧରେ ଆର୍ଜେଡି, ଜେଡିୟୁ, କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଏକଜୁଟ ହୋଇ ସେମାନଙ୍କ ମେଣ୍ଟର ନାମ ଦେଇଥିଲେ ‘ମହାଗଠବନ୍ଧନ’ । ଏବେ ବିହାରରେ ସେହି ମହାମେଣ୍ଟ ସରକାର ଅଛି ।
ଡି.ରାଜାଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପିଡିଏ ନାମ ସଂପର୍କରେ ପୂର୍ବଦିନ ସୂଚନା ଦେଇଥିଲେ । ବିରୋଧୀ ଦଳମାନଙ୍କ ପାଟନା ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମମତା ଜୋର ଦେଇ କହିଥିଲେ ସେମାନଙ୍କୁ ବିରୋଧୀ ନ କହି ଦେଶଭକ୍ତ କୁହାଯାଉ । କିନ୍ତୁ ଆର୍ଜେଡିର ବରିଷ୍ଠ ନେତା ବିରୋଧୀ ମେଣ୍ଟର ନାମ ସମ୍ବନ୍ଧୀୟ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ଏବେ ଆର୍ଜେଡିର ରାଜ୍ୟସଭା ସାଂସଦ ମନୋଜ ଝା ମହାମେଣ୍ଟର ନାମ ପିଡିଏ ହେବା ସମ୍ଭାବନା ଅଛି ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *