ବାସିଭୋଗ ଖାଇ ଜଣେ ମୃତ, ୨ଠ ଅସୁସ୍ଥ
ସୋର,୨୫ା୬ (ଆପ୍ର): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ତଳକୁରୁଣିଆ ଗ୍ରାମରେ ବାସି ଭୋଗ ଖାଇ ଜଣେ ବୃଦ୍ଧାଙ୍କର ମୃତୁ୍ୟ ହୋଇଥିବା ବେଳେ ୧୬ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଖବର ଅନୁସାରେ, ଏହି ଗ୍ରାମର ମଳିକ ସାହିରେ ତିନି ପରିବାର ପକ୍ଷରୁ ରଥଯାତ୍ରା ପାଇଁ ଶନିବାର ତାଙ୍କ ପାଳିରେ ପ୍ରସାଦ ନିମନ୍ତେ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦେଇଥିଲେ । ସେହି ଅନୁଯାଇ ପ୍ରସାଦ ହୋଇଥିଲା । ସନ୍ଧ୍ୟାରେ ଯାହାସବୁ ପ୍ରସାଦ ବଳି ପଡ଼ିଥିଲା ତାହା ସେମାନେ ଘରକୁ ଆଣି ବାଣ୍ଟି ନେଇ ଖାଇଥିଲେ । ଏହି ପ୍ରସାଦକୁ ତିନି ପରିବାର ଲୋକେ ଖାଇବା ପରେ ତାଙ୍କର ମୁଣ୍ଡ ବିନ୍ଧିବା ସହିତ ଝାଡ଼ା ବାନ୍ତି ହୋଇଥିଲା । ଏହା ଜଣଙ୍କ ପରେ ଜଣକୁ ବ୍ୟାପିଥିଲା । ପରେ ସେମାନଙ୍କ ଦେହ ଅସୁସ୍ଥ ହେବାରୁ ଗ୍ରାମବାସୀ ସେମାନଙ୍କୁ ଗୋପାଳପୁର ଡାକ୍ତରଖାନାକୁ ଆଣିଥିଲେ । ସେଥି ମଧ୍ୟରୁ ନୀଳମଣି ସାହୁ ଜଣେ ବୃଦ୍ଧାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ତେବେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଗୋପାଳପୁର ଏବଂ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେମାନେ ହେଲେ ମୋନାଲିସା ମଲିକ, ପ୍ରିତମ ପ୍ରିୟାଂଶୁ ମଲିକ, ରିଆଂଶୁ ମଲିକ, ଚପଳା ମଲିକ, ରମାମଣୀ ମଲିକ, ସୁମନ୍ତୀ ମଲିକ, ଜୟନ୍ତୀ ମଲିକ, ଶିବପ୍ରସାଦ ମଲିକ ପ୍ରମୁଖ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଗୋପାଳପୁର ଡାକ୍ତରଖାନାର ଡା. ଧୀରେଶ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏଠାରୁ ବାସି ଭୋଗ ନେଇ ଅନ୍ୟ ଏକ ଗ୍ରାମ ଉପରଅଡିଆ ଗାଁର ୯ଜଣ ଆକ୍ରାନ୍ତ ହୋଇଥିବା ଡା. ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।