ରୁଷ୍ରେ ଗୃହଯୁଦ୍ଧ
ମସ୍କୋ ଅଭିମୁଖେ ୨୫ ହଜାର ୱାଗନର ବିଦ୍ରୋହୀ
ମସ୍କୋ, ୨୪ା୬: ୟୁକ୍ରେନ୍ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରିଥିବା ପ୍ରାଇଭେଟ୍ ଆର୍ମି ୱାଗନର ଏବେ ବିଦ୍ରୋହ କରିଛି । ୱାଗନରର ସୈନିକମାନେ ୟୁକ୍ରେନ୍ ସୀମା ନିକଟବର୍ତ୍ତୀ ରୁଷିଆର ବୋରୋନେଜ ଓ ରୋସ୍ତୋବ ସହର ଦଖଲ କରିନେଇଛନ୍ତି । ରୋସ୍ତୋବସ୍ଥିତ ସେନା ମୁଖ୍ୟାଳୟ ମଧ୍ୟ ୱାଗନର କବ୍ଜାରେ ରହିଛି ।
ୱାଗନରର ମୁଖ୍ୟ ୟେବେଗେନି ପ୍ରିଗୋଝିନଙ୍କ ବିଦ୍ରୋହ ଘୋଷଣା ପରେ ରୁଷୀୟ ସେନା ଓ ୱାଗନର ଗ୍ରୁପ୍ର ସୈନିକମାନଙ୍କ ମଧ୍ୟରେ ରୁଷ୍ରେ ଲଢେଇ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ ଜରୁରୀ ବୈଠକ ଡାକି ଦେଶରେ ସାମରିକ ଆଇନ ଜାରି କରିବା ସହ ପ୍ରିଗୋଝିନଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ପ୍ରିଗୋଝିନ୍ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବେ ନାହିଁ, ବରଂ ମସ୍କୋ ଦଖଲ କରିବେ ବୋଲି ସଂକଳ୍ପ ନେଇଛନ୍ତି ।
ପୁତିନଙ୍କ ନିଦେ୍ର୍ଦଶକ୍ରମେ ରାଜଧାନୀ ମସ୍କୋରେ ସେନା ମୁତୟନ କରାଯାଇଛି । ୱାଗନର ଗୋଷ୍ଠୀକୁ ଦେଶଦ୍ରୋହୀ ଆଖ୍ୟା ଦେଇଛନ୍ତି ପୁତିନ । ପ୍ରିଗୋଝିନ୍ଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ରୁଷୀୟ ତଦନ୍ତ ଏଜେନ୍ସି ଫେଡେରାଲ୍ ସିକୁ୍ୟରିଟି ସର୍ଭିସ୍ (ଏଫ୍ଏସ୍ବି) ପ୍ରିଗୋଝିନ୍ଙ୍କ କାର୍ଯ୍ୟାଳୟରେ ଚଢଉ କରିବା ସହ ତାଙ୍କ ସମ୍ପତ୍ତି ଜବତ କରିଛି । ପୁତିନ୍ ତାଙ୍କ ମିତ୍ର ରାଷ୍ଟ୍ରମାନଙ୍କ ସହାୟତା ଲୋଡିଛନ୍ତି । ପୁତିନ୍ ଦେଶବାସୀଙ୍କ ଉଦେ୍ଦଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ୱାଗନର ଆମ ପିଠିରେ ଛୁରି ଭୁସିଛି । ରୁଷ୍ବାସୀଙ୍କୁ ଧୋକା ଦେଇଛି । ୱାଗନରର ବିଦ୍ରୋହ ରୁଷୀୟ ସେନା ପାଇଁ ଏକ ଚ୍ୟାଲେଞ୍ଜ । ଆମେ ଯେକୌଣସି ପରିସ୍ଥିତିରେ ନାଗରିକଙ୍କୁ ସୁରକ୍ଷା ଦେବୁ ଏବଂ ବିଦ୍ରୋହୀମାନଙ୍କୁ ସମୂଳେ ନିପାତ କରିବୁ । ଉଚ୍ଚାକାଂକ୍ଷା ରଖି ୱାଗନର ମୁଖିଆ ଆମ ସହ ବିଶ୍ୱାସଘାତକ କରିଛନ୍ତି । ଏପରିକି ବିଦ୍ରୋହୀଙ୍କୁ ଅବଶ୍ୟ ଦଣ୍ଡ ଦିଆଯିବ ।
ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ୍ର ବଖମୁତ ସହରରେ ୱାଗନର ଗ୍ରୁପ୍ର ତାଲିମ କେନ୍ଦ୍ର ଉପରେ ରୁଷୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କ୍ଷେପଣାସ୍ତ୍ର ଆକ୍ରମଣରେ ଭଡାଟିଆ ଲଢୁଆ ଗୋଷ୍ଠୀ ୱାଗନରର ବହୁ ସୈନିକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପାଇଁ ପ୍ରିଗୋଝିନ୍ ରାଷ୍ଟ୍ରପତି ପୁତିନ୍ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ଦୁଇ ସପ୍ତାହ ପୂର୍ବେ ପ୍ରତିରକ୍ଷା ମନ୍ତ୍ରାଳୟ ୟୁକ୍ରେନ୍ରେ ଲଢୁଥିବା ୱାଗନର ସମେତ ସମସ୍ତ ଘରୋଇ ଯୋଦ୍ଧାଙ୍କୁ ରୁଷୀୟ ସେନାରେ ସାମିଲ ହେବା ପାଇଁ ଆଦେଶ ଜାରି କରିଥିଲା । ରୁଷିଆର ସବୁଠୁ ବଡ ଘରୋଇ ଲଢୁଆ ଗୋଷ୍ଠୀ ୱାଗନର ଏହି ଆଦେଶକୁ ଅମାନ୍ୟ କରିବା ପରେ ୱାଗନର କ୍ୟାମ୍ପ୍ ଉପରେ ହୋଇଥିଲା କ୍ଷେପଣାସ୍ତ୍ର ଆକ୍ରମଣ ।
ୱାଗନର ଯୋଦ୍ଧାମାନେ ୟୁକ୍ରେନ୍ର ଅଧିକୃତ ଇଲାକାରୁ ହଟିଆସିଥିବାରୁ ରୁଷୀୟ ସେନାର ଚିନ୍ତା ବଢିଛି । ୟୁକ୍ରେନୀ ସୈନିକମାନେ ଖୁବ୍ଶୀଘ୍ର ବଖମୁତ ଦଖଲ କରିନେବା ଆଶଙ୍କା ପ୍ରକାଶ ପାଇଛି ।