ଶିଖରଚଣ୍ଡୀରେ ଏନ୍ଜିଟି ଟିମ୍

ଭୁବନେଶ୍ୱର,୨୪ା୬(ବୁ୍ୟରୋ): ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ ଉପରୁ ଗଛକଟା ପ୍ରସଙ୍ଗକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ୍ (ଏନ୍ଜିଟି) ରୋକ୍ ଲଗାଇଥିବା ସତ୍ତ୍ୱେ ସେଠାରେ କାମ ଜାରି ରହିଥିବା ଅଭିଯୋଗ ହୋଇଛି । ଏପରି କି ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ପାଣି ପ୍ରକଳ୍ପ ପାଇଁ ଦ୍ୱିପ୍ରହରରେ ଗଛ କଟା କାମ ଜାରିଥିବା ବେଳେ ଶନିବାର ସିସିଏଫ୍ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଏନ୍ଜିଟି ଟିମ୍ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ ରିପୋର୍ଟ ସଂଗ୍ରହ କରିଛନ୍ତି । ସ୍ଥିତି ଅନୁଧ୍ୟାନ ବେଳେ ପାହାଡ ଉପରେ କେତେ ଗଛ କଟା ଯାଇଛି, କେଉଁ ପ୍ରକଳ୍ପ ପାଇଁ ଏଭଳି ଗଛା କଟାଯାଉଛି, ପ୍ରଶାସନଠାରୁ ପରିବେଶ ଅନୁମତି ମିଳିଛି କି ନାହିଁ ଇତ୍ୟାଦି ପ୍ରଶ୍ନ କରିଥିଲେ ଏନ୍ଜିଟି ଟିମ୍ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲାରେ ଏନ୍ଜିଟି ରୋକ୍ ଲଗାଇଥିବା ସତ୍ତ୍ୱେ କାହିଁକି କାମ ଅଟକିଲାନି ବୋଲି ପ୍ରଶ୍ନ କରିବା ସହିତ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛି ଏନଜିଟି ଟିମ୍ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ପ୍ରକାଶ ଥାଉ କି, ଏନ୍ଜିଟିଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଶିଖରଚଣ୍ଡୀ ପାହାଡ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଦାରୁଠେଙ୍ଗ ଓ ଚନ୍ଦକାର ସରପଞ୍ଚ ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିଟକରେ ଫେରାଦ ହୋଇଛନ୍ତି । ନିର୍ମାଣ କାମ ଯୋଗୁଁ ଅଞ୍ଚଳର ଜୈବ୍ୟ ବିବିଧତା ନଷ୍ଟ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦୁଇ ସରପଞ୍ଚ ଦାବି ଜଣାଇଛନ୍ତି ।
ଗଛକଟା ମାମଲାର ଶୁଣାଣି କରି ଜୁନ୍ ୧୩ରେ ଏହା ଉପରେ ରୋକ୍ ଲଗାଇଥିଲେ ଏନ୍ଜିଟି । ଗତ କିଛି ଦିନ ଧରି ଶିଖରଚଣ୍ଡୀ ପାହାଡ ଉପରେ ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ ସଫା କରାଯାଉଥିଲା । ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ଏକ ବିରାଟ ପାଣି ଟାଙ୍କି ନିର୍ମାଣ କରାଯିବ ବୋଲି କୁହାଯାଉଛି । ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ । ଏହି ପାହାଡ ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ବୋଲି କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *