ଜେଲ୍ ଗଲେ ପ୍ରଶାନ୍ତ
ଭୁବନେଶ୍ୱର, ୨୪ା୬(ବୁ୍ୟରୋ): ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଶନିବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଶନିବାର ଜାମିନ ଆବେଦନ ଅଗ୍ରାହ୍ୟ ହେବାରୁ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଶାନ୍ତଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ତାଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି । ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ଏନେଇ ଭିଜିଲାନ୍ସ ଏସ୍ପି ଏମ. ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨ କୋଟି ୩ ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା । ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ । ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ । କୋଟି କୋଟି ଟଙ୍କା ଜବତ ହେବା ପ୍ର·ର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ । ଖାଲି ଭୁବନେଶ୍ୱର ନୁହେଁ, ନବରଙ୍ଗପୁର ସରକାରୀ କ୍ୱାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା । ସେହିପରି ଚଢ଼ଉ ଜାରି ରହିଥିବାବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ୱର କାନନବିହାର ଘରୁ ଜବତ କରାଯାଇଛି । ଏହି ଟଙ୍କାକୁ ସେ ବହି ର୍ୟାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ । ଏବେ ସୁଦ୍ଧା ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି । ଚଢ଼ଉ ଜାରି ରହିଥିବାବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଥିଲେ ।
ଶୁକ୍ରବାର ସକାଳେ ପ୍ରଶାନ୍ତଙ୍କର ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ, ଭୁବନେଶ୍ୱର କାନନବିହାର ଏଚଆଇଜି-୧୧୫ରେ ଥିବା ଦୁଇ ମହଲା କୋଠା, ନବରଙ୍ଗପୁରସ୍ଥିତ ଅଫିସ, ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘର ସମେତ ୯ ଜାଗାରେ ଏକକାଳୀନ ଚଢ଼ଉ କରା ଯାଇଥିଲା । ବେଆଇନ କାରବାର ପାଇଁ ବାଲିମାଫିଆ, ଖଣି ମାଫିଆ, ଜଙ୍ଗଲ ମାଫିଆ ଓ ଉନ୍ନୟନ କାମ ବାବଦରେ ଠିକାଦାରଙ୍କ ଠାରୁ ଲାଞ୍ଚ ଟଙ୍କା ଠୁଳ କରିଥିବା କୁହାଯାଉଛି । କିନ୍ତୁ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉ ପାଇଁ ୯ଟି ଟିମ୍ ତିଆରି ହୋଇଥିଲା । ଦୁଇଜଣ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ ।