ଗୁଣାତ୍ମକ ଶିକ୍ଷାରେ ଭିତ୍ତିଭୂମି ସହାୟକ

ଓଏଭିର ୧୩ ଶିକ୍ଷାସୌଧ, ୨୮ ଛାତ୍ରାବାସ ଉଦ୍ଘାଟିତ
ଭୁବନେଶ୍ୱର, ୨୪ା୬ (ବୁ୍ୟରୋ): ସମଗ୍ର ଦେଶରେ ରୋଲ୍ ମଡେଲ ସାଜିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଏହାର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଶନିବାର ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଏବଂ ୨୮ଟି ଛାତ୍ରାବାସ ଉଦ୍ଘାଟନ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ୨୭୬ ଛାତ୍ରାବାସ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟାଜିତ ସ୍ୱତନ୍ତ୍ର ଉତ୍ସବକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପରିଦୃଶ୍ୟର ବିକାଶ ପାଇଁ ଏହି ଭିତ୍ତିଭୂମି ମାର୍ଗ ପ୍ରସ୍ତୁତ କରିବ । ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଗୁରୁତ୍ୱାରୋପ କରି ସେ କହିଲେ, ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଦେଶରେ ଏହାକୁ ଏକ ରୋଲ୍‌ ମଡେଲ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ସମସ୍ତ ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଭୁବନେଶ୍ୱରରେ ଗୋଟିଏ ଆଇକନିକ୍‌ ଓଏଭି ରହିଛି । ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରାପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ତାଙ୍କ ସରକାରର ପ୍ରାଥମିକତା ହୋଇ ରହିଆସିଛି । ୫-ଟି ଉପକ୍ରମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ ହେଉଛି । ସିବିଏସଇ ଢାଞ୍ଚାରେ ବ୍ଲକସ୍ତରରେ ପ୍ରତିଭାବାନ୍‌ ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଉତ୍ସର୍ଗୀକୃତ । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ବହୁ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଏଭି ପ୍ରବେଶିକା ପରୀକ୍ଷା ଜରିଆରେ ମନାନିତ ହୋଇଥିବା ସମସ୍ତ ନୂତନ ପ୍ରବେଶକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀ ଏବଂ ନିଟ୍‌, ଜେଇଇ ଆଡଭାନ୍ସଡ୍‌ ସମେତ ଅନ୍ୟ ଜାତୀୟ ସ୍ତରୀୟ ପ୍ରତଯୋଗିତାର ସଫଳ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଲଗାତାର ପ୍ରୟାସ ଆଗାମୀ ଦିନରେ ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ଉକ୍ରର୍ଷ କେନ୍ଦ୍ର୍ରଭାବେ ରୂପାନ୍ତର କରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ସଚିବ ପ୍ରଦୀପ ଜେନା, ଓଏଭି ଉପଦେଷ୍ଟା ଉପେନ୍ଦ୍ର୍ର ତ୍ରିପାଠୀ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ୱଥୀ ଏସ୍‌. ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *