ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ
ହେରାପଞ୍ଚମୀ ନୀତି ସମ୍ପନ୍ନ
ପୁରୀ (ବୁ୍ୟରୋ): ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ନୀତିକାନ୍ତି । ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ । ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ । ଶନିବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି । ଏହି ଲୀଳା ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା ।
ଏଥର ରଥଯାତ୍ରା ଭଳି ହେରାପଞ୍ଚମୀ ନୀତ ମଧ୍ୟ ଭକ୍ତ ଗହଣରେ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଓ ଶ୍ରୀଦେବୀ (ଲକ୍ଷ୍ମୀଠାକୁରାଣୀ)ଙ୍କ ବିବାହ ସରିଥିଲା । କିନ୍ତୁ ଗଇଁଠାଳ ଫିଟି ନ ଥିଲା ଅର୍ଥାତ୍ ବିବାହ କର୍ମ ଅଧାରେ ରହିଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନକରି ଜ୍ୱରରେ ପଡ଼ିଲେ । ବିଭିନ୍ନ ପଥି ଖାଇ ସୁସ୍ଥ ହେଲେ । ଦ୍ୱିତୀୟ ତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ୍ ନ କରି ଭଉଣୀଭାଇଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି । ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ । ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ଫେରିବା ଅନୁରୋଧକୁ ରଖିଲେ ନାହିଁ । ଏଥିରେ ରୋଷ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଫେରିବା ବେଳେ ସାହିବାସୀଙ୍କ ଦ୍ୱାରା ହୋଇଥିବା ପନ୍ତିଭୋଗ ଗ୍ରହଣ କରିଥିଲେ । ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟାଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ମାଜଣା ହୋଇଥିଲା । ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ।
ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚôବା ପରେ ପତିମହାପାତ୍ର ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଏବଂ ଦହିପଟି ମଣୋହୀ କରିଥିଲେ । ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରି ଜୟବିଜୟ ଦ୍ୱାର ନିକଟକୁ ଆସିଥିଲେ । ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁ ଫେରି ନ ଥିଲେ । ଏହା ପରେ ମହାଲକ୍ଷ୍ମୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇ ରଥର କିଛି ଅଂଶ ଭାଙ୍ଗିଥିଲେ । ଏହି ନୀତିକୁ ହେରା ପଞ୍ଚମୀ ବୋଲି କୁହାଯାଏ । ଦ୍ଭ ଦହିପଟି ମଣୋହୀ ନୀତି
ହେରା ପଞ୍ଚମୀରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଫେରାଇନେବା ଲାଗି ଅନୁରୋଧ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଯାତ୍ରା ନ ସାରି ଜନ୍ମବେଦୀରୁ ଯିବେ ନାହିଁ ବୋଲି ରୋକ୍ଠୋକ୍ ମନା କରି ଦେଇଥିଲେ । ଫଳରେ ମହାଲକ୍ଷ୍ମୀ ରାଗିଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଦେଇ ସେ ବାହାରକୁ ବାହାରି ଯାଇଥାନ୍ତି । ଠିକ୍ ନାକଚଣା ଦ୍ୱାର ଅତିକ୍ରମ କରିବା ସମୟରେ ମାଣିକପାଟଣାରୁ ଆସିଥିବା ବାଉଁଶିଆ ଦହିକୁ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହୀ ନୀତି ସମ୍ପନ୍ନ କରିଥିଲେ ।
ଦ୍ଭ ଆଜି ତିନି ରଥର ଦକ୍ଷିଣ ମୋଡ଼
ମହାପ୍ରଭୁ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବା ଲାଗି ରବିବାର ତିନିରଥ ଦକ୍ଷିଣ ମୋଡ଼ କରାଯିବ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣୀ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ । ବାହୁଡ଼ା ଦଶମୀରେ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ଫେରିବେ । ତିନି ରଥକୁ ପ୍ରଥମେ ଶ୍ରୀମନ୍ଦିରର ପୂଜାପଣ୍ଡା ତିନୋଟି ଆଜ୍ଞାମାଳ ବିଜେ କରିବା ପରେ ଦକ୍ଷିଣୀ ମୋଡ଼ କରାଯିବ ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ।