ଆମେ ଏକାଠି ଲଢିବୁ
ପାଟନା ବୈଠକରେ ବିରୋଧୀଙ୍କ ଘୋଷଣା
ପାଟନା, ୨୩ା୬: ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ହଟାଇବା ଯୋଜନା ପ୍ରସ୍ତୁତି ପାଇଁ ଶୁକ୍ରବାର ବିହାର ରାଜଧାନୀ ପାଟନାରେ ହୋଇଛି ବିରୋଧୀ ଦଳମାନଙ୍କ ମହାବୈଠକ । ଏହି ବୈଠକରେ ୧୭ ଦଳର ୩୨ ନେତା ଭାଗ ନେଇ ପ୍ରାୟ ୪ ଘଣ୍ଟା ମନ୍ଥନ କରିଥିଲେ । ବୈଠକ ଶେଷରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ନେତାମାନେ କହିଛନ୍ତି, ସେମାନେ ବିଜେପି ବିରୋଧରେ ଏକାଠି ଲଢିବାକୁ ପ୍ରସ୍ତୁତ । ୪୫୦ ଲୋକସଭା ଆସନ ପାଇଁ ବିଜେପି ବିରୋଧରେ ବିରୋଧୀ ମଞ୍ଚ ପକ୍ଷରୁ ମିଳିତ ପ୍ରାର୍ଥୀ ଦିଆଯିବ । ବିଜେପି ବିରୋଧୀ ମେଣ୍ଟର ନାମ କ’ଣ ହେବ, ସର୍ବନିମ୍ନ ସାଧାରଣ କାର୍ଯ୍ୟସୂଚୀ, ଆସନ ବୁଝାମଣା ଫର୍ମୁଲା ଓ ଦିଲ୍ଲୀ ଆଧ୍ୟାଦେଶ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ବିରୋଧୀ ଦଳମାନଙ୍କ ବୈଠକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ୟୁପିଏ-୩ର ସଂଯୋଜକଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି । ପରବର୍ତ୍ତୀ ବୈଠକ ଶିମଲାଠାରେ ଆସନ୍ତା ମାସ ୧୦ ତାରିଖ ଦିନ ଆୟୋଜିତ ହେବ । ପାଟନା ବୈଠକରେ ଜେଡିୟୁ, ଆର୍ଜେଡି, ଆପ୍, ଡିଏମ୍କେ, ଟିଏମ୍ସି, ସିପିଆଇ, ସିପିଏମ୍, ସିପିଆଇ(ଏମ୍ଏଲ୍), ପିଡିପି, ନ୍ୟାସ୍ନାଲ୍ କନ୍ଫରେନ୍ସ, କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ), ସମାଜବାଦୀ ପାର୍ଟି, ଜେଏମ୍ଏମ୍ ଓ ଏନ୍ସିପିର ନେତାମାନେ ଯୋଗଦେଇଥିଲେ ।
ତେବେ ଏହି ବୈଠକରେ ଆପ୍ ନେତା ଅରବିନ୍ଦ କେଜରୀୱାଲ ତାଙ୍କର ଏକ ସର୍ତ୍ତ ରଖି କହିଥିଲେ, ସବୁ ଦଳ ମିଳିତଭାବେ କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ଖୋଲାଖୋଲିଭାବେ ବିରୋଧ କଲେ ଯାଇ ବିରୋଧୀ ମେଣ୍ଟରେ ତାଙ୍କ ଦଳ ସାମିଲ ହେବ । ବୈଠକ ଚାଲିଥିବାବେଳେ କଂଗ୍ରେସ ଓ ଆପ୍ ନେତାଙ୍କ ମଧ୍ୟରେ ଏହି ବିଷୟକୁ ନେଇ କଥା କଟାକଟି ହୋଇଥିଲା । ବୈଠକ ଶେଷରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କେଜରୀୱାଲ ନ ଥିଲେ । ଏ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ବୈଠକ ଆୟୋଜନ କରିଥିବା ନୀତୀଶ କୁମାର କହିଥିଲେ ଯେ ଦିଲ୍ଲୀ ଫ୍ଲାଇଟ୍ ଧରିବା ପାଇଁ କେଜରୀୱାଲ ଆଗୁଆ ଚାଲିଗଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆପ୍ ପକ୍ଷରୁ କଂଗ୍ରେସ ବିରୋଧରେ ଏକ ବିବୃତିରେ କୁହାଯାଇଛି ଯେ ଦଳର ସର୍ତ୍ତକୁ ଅନ୍ୟ ସବୁ ଦଳ ମାନିଥିଲେ ହେଁ କଂଗ୍ରେସ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ତେଣୁ କଂଗ୍ରେସ ରାଜ୍ୟସଭାରେ ଆପ୍କୁ ସମର୍ଥନ ନ ଦେବା ଯାଏ କଂଗ୍ରେସ ସାମିଲ ହୋଇଥିବା କୌଣସି ବିରୋଧୀ ବୈଠକରେ ଆପ୍ ଯୋଗ ଦେବ ନାହିଁ ।