ନନ୍ଦନକାନନ ହେବ ବିଶ୍ୱସ୍ତରୀୟ
ଭୁବନେଶ୍ୱର,୨୩ା୬(ବୁ୍ୟରୋ): ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ । ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା । ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି । ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିଦେ୍ର୍ଦଶ ଦେବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମେ’ ୨୩ ତାରିଖରେ ଜଙ୍ଗଲ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ନୂଆ ଯୋଜନାରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିଅମ, ୱାଟର ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି ।
ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ କରାଯିବ । ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି । ଏଥିରେ ଆକ୍ଟିଭିଟି ଭତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ “କ୍ଲବ’ ଓ “ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି । ଏହାସହିତ ସିଟିଜେନ୍ ସାଇନ୍ସ ନୋ ୟୁଆର୍ ଟ୍ରୀସ୍ ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଇଣ୍ଟର୍ନସିଭ ଓ ଜୁଭଲ୍ୟୁଣ୍ଟିିଅର ଆଦି କାର୍ଯ୍ୟକ୍ରମ କରାଯିବ ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ସମୁଦାୟ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ଅଛନ୍ତି । ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ନନ୍ଦନକାନନର ନିଦେ୍ର୍ଦଶକ ଉପସ୍ଥାପନା ରଖିଥିଲେ ।