୩.୧୪ କୋଟି ଟଙ୍କା ଜବତ
ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଟଙ୍କା ଗୋଦାମ
ଭୁବନେଶ୍ୱର/ନବରଙ୍ଗପୁର, ୨୩ା୬(ବୁ୍ୟରୋ/ଆପ୍ର): ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଶୁକ୍ରବାର ଭଇଜିଲାନ୍ସ ଜାଲରେ ପଡିଛନ୍ତି । ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭୋରରୁ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକ ଜିଲ୍ଲାର ପ୍ରାୟ ୯ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ରୋଚକ କଥା ହେଉଛି, ରାଜଧାନୀର କାନନବିହାର ବାସଭବନରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ମିଳିଥିଲା ଛଅ ପେଟି ଟଙ୍କା । ଭିଜିଲାନ୍ସ ଟିମ୍ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ଜାଣିପାରି ପ୍ରଶାନ୍ତଙ୍କ ଘରୁ କିଏ ଜଣେ ପଡ଼ୋଶୀଙ୍କ ଏହି ଛାତ ଉପରକୁ ଟଙ୍କା ପେଟି ଫୋପାଡ଼ି ଦେଇଥିଲେ ।ଆଉ ପଡ଼ୋଶୀ ମଧ୍ୟ ସେସବୁ ଉଠାଇ ଆଣି ନିଜ ଘରେ ରଖିଦେଲେ । ଶବ୍ଦ ଶୁଣି ଭିଜିଲାନ୍ସ ଟିମ୍ ପ୍ରଥମେ ପଡ଼ୋଶୀଙ୍କ ଘରେ ପଶି ଖାନତଲାସି କରିଥିଲା । ସେଠାରେ ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ନବରଙ୍ଗପୁର ବାସ ଭବନ ଚଢାଉ ବେଳେ ଭିଜିଲାନ୍ସ ଟିମ୍ ପେଟିଭର୍ତ୍ତି ୫୬ ଲକ୍ଷ ଟଙ୍କା ଜବତ କରିଛି । ପ୍ରଶାନ୍ତ ନିଜ ଆଡୁ ଏକାଧିକ ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ବେଳେ ଗୋଟିଏ ଆକାଉଣ୍ଟରେ ୨୦୧୯ରୁ ୨୬ ଲକ୍ଷରୁ ଅଧିକ ଟଙ୍କା ପୈଠ ହୋଇଥିବା ଭିଜିଲାନ୍ସ ତଥ୍ୟ ପାଇଛି ।
ଶୁକ୍ରବାର ଅପରାହ୍ନ ସୁଦ୍ଧା ୨ କୋଟି ୯୧ ଲକ୍ଷରୁ ଅଧିକ ଟଙ୍କାଜବତ ହୋଇଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱର ଘର ଖାନ ତଲାସି ବେଳେ ବହି ଆଲମିରାରୁ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ପ୍ରଶାନ୍ତ ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡ଼ିଓ ଥିବାବେଳେ ବିରିପାଣୀ ପଞ୍ଚାୟତ ଅଧିକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଗିରଫ ହୋଇଥିଲେ । ଏହାସତ୍ୱେ ସେ ପ୍ରମୋସନ ପାଇଛନ୍ତି ଓ ବର୍ଷେ ହେଲା ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏତେ ପରିମାଣର ଟଙ୍କା ଶ୍ରୀ ରାଉତ୍ କିଭଳି ଠୁଳ କଲେ, ଭିଜିଲାନ୍ସ ବିଭାଗ ତାହାର ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି ।