ମୋଦିଙ୍କୁ ଭବ୍ୟ ସ୍ୱାଗତ
ୱାଶିଂଟନ୍, ୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ଗୁରୁବାର ହ୍ୱାଇଟ୍ହାଉସ୍ରେ ପହଞ୍ଚôଛନ୍ତି । ସେଠାରେ ତାଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫାଷ୍ଟ୍ ଲେଡି ଜିଲ୍ ବାଇଡେନ୍ ସ୍ୱାଗତ କରିଥିଲେ । ବାଇଡେନ୍ଙ୍କ ସ୍ୱାଗତ ଭାଷଣ ବେଳେ ଉପସ୍ଥିତ ଭାରତୀୟ ବଂଶଜମାନେ ମୋଦି ମୋଦି ନାରା ଦେଇଥିଲେ । ୨୧ ତୋପ ସଲାମି ସହ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମୋଦି ଓ ବାଇଡେନ୍ଙ୍କ ମଧ୍ୟରେ ହ୍ୱାଇଟ୍ହାଉସ୍ ଓଭାଲ ଅଫିସ୍ରେ ଆରମ୍ଭ ହୋଇଥିଲା ଦ୍ୱିପାକ୍ଷିକ ଆଲୋଚନା । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବହୁ ଚୁକ୍ତି ସମ୍ପାଦନ ନେଇ ଦୁଇ ରାଷ୍ଟ୍ର ନେତା ଆଲୋଚନା କରିଛନ୍ତି । ଆଲୋଚନା ପରେ ଭାରତକୁ ଅତ୍ୟାଧୁନିକ ଡ୍ରୋନ୍ ବିକ୍ରି କରାଯିବା ନେଇ ରାଷ୍ଟ୍ରପତି ବାଇଡେନ୍ ଘୋଷଣା କରିବେ । ଏହା ପୂର୍ବରୁ ଆମେରିକାର ଜିଇ ଏରୋସ୍ପେସ୍ ଓ ଭାରତର ହିନ୍ଦୁସ୍ତାନ ଏରେନଟିକ୍ ଲିମିଟେଡ୍ ମଧ୍ୟରେ ଯୁଦ୍ଧ ବିମାନର ଏଫ୍-୪୧୪ ଇଞ୍ଜିନ୍ ଭାରତରେ ନିର୍ମାଣ କରାଯିବା ସମ୍ବନ୍ଧୀୟ ଚୁକ୍ତି ସମ୍ପାଦିତ ହୋଇଛି । ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦିଙ୍କୁ ବାଇଡେନ୍ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ ।
ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ହ୍ୱାଇଟ୍ହାଉସ୍ ପକ୍ଷରୁ କୁହାଯାଇଛି ଭାରତ ଆର୍ଟେମିସ୍ ଚୁକ୍ତିରେ ସାମିଲ ହେବ । ନାସା ଓ ଇସ୍ରୋ ୨୦୨୪ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ମିଳିତ ମିଶନ ପାଇଁ ସହମତ ହୋଇଛନ୍ତି ।
ଆମେରିକାର ସ୍ଥାନୀୟ ସମୟ ଅପରାହ୍ଣ ୧୨ଟା ୧୫ରୁ ୨ଟା ୩୦ ପର୍ଯ୍ୟନ୍ତ ମୋଦି ଆମେରିକୀୟ ସଂସଦରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୨୦୧୬ ପରେ ଏହା ହେବ ଆମେରିକୀୟ ସଂସଦରେ ତାଙ୍କ ଦ୍ୱିତୀୟ ଉଦ୍ବୋଧନ । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ୯ ବର୍ଷ ମଧ୍ୟରେ ୧୧ଟି ବିଦେଶୀ ସଂସଦରେ ଉଦ୍ବୋଧନ ଦେଇଛନ୍ତି ।
ମୋଦିଙ୍କ ଆମେରିକା ଗସ୍ତ ଅବସରରେ ନୁ୍ୟୟର୍କ ଟାଇମ୍ସ ତାଙ୍କୁ ପୃଥିବୀର ସବୁଠାରୁ ଲୋକପ୍ରିୟ ନେତା ଆଖ୍ୟା ଦେଇଛି । ଏକ ସ୍ୱତନ୍ତ୍ର ଲେଖାରେ ମୋଦିଙ୍କ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା କରିଛି ଆମେରିକାର ଏହି ପ୍ରମୁଖ ସମ୍ବାଦପତ୍ର । ସେଥିରେ କୁହାଯାଇଛି ଯେ ମୋଦି ଭାରତର ଏକମାତ୍ର ନେତା ଯିଏ ଦେଶବାସୀଙ୍କ ମନକଥା ବୁଝିପାରନ୍ତି ଏବଂ ଏହି କାରଣରୁ ସେ ଏତେ ଲୋକପ୍ରିୟ ହୋଇପାରିଛନ୍ତି ।