ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ
ପୁରୀ, ୨୨ା୬ (ବୁ୍ୟରୋ): ଚତୁର୍ଦ୍ଧା ବିଗ୍ରହ ୩ଦିନ ଧର ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗୁରୁବାର ରାତିରେ ଜନ୍ମବେଦୀ ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ଶୁକ୍ରବାର ଠାରୁ ଠାକୁରଙ୍କୁ ଜନ୍ମବେଦୀରେ ଅନ୍ନପ୍ରସାଦ ଲାଗି ହେବ । ଭକ୍ତ ମଧ୍ୟ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇବା ସହିତ ଆଡ଼ପ ଅବଢ଼ା ପାଇବେ । ଘୋଷଯାତ୍ରାରେ ତନି ରଥରେ ବାହାରିଥିବା ମହାପ୍ରଭୁ ବୁଧବାର ସକାଳେ ଶ୍ରୀଗୁଣ୍ଡିଚା ସମ୍ମୁଖ (ଶରଧାବାଲି)ରେ ପହଞ୍ଚିଥିଲେ ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଠାକୁର ପହଞ୍ଚିବା ଦିନ ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଗୁରୁବାର ରଥ ଉପରେ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ଭୋଇ ସେବକମାନେ ତିନି ରଥରୁ ଘୋଡ଼ା ଅପସରଣ କରି ଚାରମାଳ ବାନ୍ଧିଥିଲେ । ଚାରମାଳ ବନ୍ଧା ସରିବା ପରେ ମୁଦିରସ୍ତ ସେବକ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ତୁଳି ଲାଗି କରିଥିଲେ । ସନ୍ଧ୍ୟା ୫ଟା୨୫ରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ରାମକୃଷ୍ଣ ଏବଂ ମଦନମୋହନ ଆଡ଼ପମଣ୍ଡପକୁ ବିଜେ ହୋଇଥିଲେ । ୫ଟା ୫ଠରେ ସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ ହୋଇଥିଲେ । ଘଣ୍ଟ, ସଙ୍କୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ପରେ ୬ଟାରେ ବଡ଼ଠାକୁର ବଳଭଦ୍ର ଆଡ଼ପ ମଣ୍ଡପରେ ବିଜେ ହୋଇଥିଲେ । ଏହା ପରେ ୭ଟା ୧ଠରେ ଦେବୀ ସୁଭଦ୍ରା ଜନ୍ମବେଦୀକୁ ଗୋଟି ପହଣ୍ଡିରେ ଯାଇଥିଲେ । ଶେଷରେ ୭ଟା ୪୫ରେ ହଟିଆ ଠାକୁର ଶ୍ରୀଜଗନ୍ନାଥ ଆଡ଼ପ ଆସ୍ଥାନକୁ ବିଜେ କରିଥିଲେ । ପହଣ୍ଡି ସମୟରେ ପ୍ରତି ଠାକୁର ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି ହୋଇଥିଲା । ପତି ମହାପାତ୍ର ସେବକ ଘଷା ଏବଂ ବିଡ଼ିଆ ମଣୋହୀ କରିବା ସହିତ କର୍ପୁର ଆଳତି କରିଥିଲେ । ପରେ ଗୋଟି ପହଣ୍ଡିରେ ଜଣକ ପରେ ଜଣେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ସକାଳୁ ଭକ୍ତଙ୍କୁ ଦର୍ଶନ ଦେବେ ।
ଅନ୍ୟପକ୍ଷରେ କେତେବେଳେ ମହାପ୍ରଭୁ ଜନ୍ମବେଦୀ ବା ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି । ବିଶ୍ୱାସ ରହିଛି ଯେ, ଶ୍ରୀମନ୍ଦିରରେ ବର୍ଷତମାମ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ, ଗୋଟିଏ ଥର ଆଡ଼ପ
ମଣ୍ଡପରେ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ । ତତ୍ସହିତ ମଙ୍ଗଳବାର ଠାର ୁଭକ୍ତମାନେ ଅବଢ଼ା ନ ପାଇ ବ୍ୟସ୍ତ ହୋଇ ରହିଛନ୍ତି । ଶୁକ୍ରବାର ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇଁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ୧୨ବର୍ଷ ଦର୍ଶନ ସହ ମହାପ୍ରସାଦ ସେବନ କଲେ ଯେତିକି ପୁଣ୍ୟ ମିଳିଥାଏ ଗୁଣ୍ଡିଚା ମନ୍ଦିରର ଆଡ଼ପ ଅବଢ଼ା ଗୋଟିଏ ଦିନ ସେବନ କଲେ ସେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।