ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୨ା୬(ବୁ୍ୟରୋ): ବେଶ୍ କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ ଓଡିଶାକୁ ଛୁଇଁଛି ମୌସୁମୀ । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରିର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହେବା ସହିତ କୋରାପୁଟ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗ୍ରସର ହେବ ।
ଏହାର ପ୍ରଭାବରେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ବିଶେଷ କରି ଖେର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଶୁକ୍ରବାର ଏହି ସବୁ ଜିଲ୍ଲାର କେତେକ ଅଞ୍ଚଳରେ ୭ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଗୁରୁବାର ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନରେ ୭୦.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬୬.୬, ଯାଜପୁରର ସୁକନ୍ଦାରେ ୬୫.୦, ମାଲକାନଗିରିର କାରଗୁଣ୍ଡାରେ ୬୧.୦, ଚିତ୍ରକୋଣ୍ଡାରେ ୬୦.୦ ଓ ସୁନ୍ଦରଗଡ଼ରେ ଟେଣ୍ଡାପଲିରେ ୫୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଜଗତସିଂପୁର, କଟକ, କେନ୍ଦ୍ରୀପଡା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *