ଶରଧାବାଲିରେ ତିନି ରଥ

ପୁରୀ, ୨୧ା୬(ବୁ୍ୟରୋ): ଘୋଷଯାତ୍ରାରେ ବାହାରି ମଙ୍ଗଳବାର ବଡଦାଣ୍ଡରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥ ବୁଧବାର ଶ୍ରୀଗୁଣ୍ଡିଚା ସମ୍ମୁଖ ଶରଧାବାଲିରେ ପହଞ୍ଚିଛନ୍ତି । ଟାଣ ଖରା ଓ ଗୁଳୁଗୁଳିକୁ ଖାତିର ନକରି ରଥାରୂଢ ଠାକୁରଙ୍କୁ ତଳେ ରହି ଦର୍ଶନ କରିଛନ୍ତି ଭକ୍ତ । କେହି କେହି ରଥକୁ ଛୁଇଁ ଠାକୁରଙ୍କ ଆଶୀର୍ବାଦ କାମନା କରିଥିଲେ ତ ଆଉ କେହି ଶରଧାବାଲିରେ ମୁଣ୍ଡିଆ ମାରି ଭକ୍ତି ନିବେଦନ ଜଣାଇଥିଲେ । ଗୁରୁବାର ଦିନବ୍ୟାପି ଭକ୍ତଙ୍କୁ ଦର୍ଶନ ଦେବା ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପମଣ୍ଡପକୁ ବିଜେ କରିବେ ।
ବୁଧବାର ସକାଳ ୯ଟାରେ ରଥଟଣା ଆରମ୍ଭ କରା ଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିଲା । ସେହି ମୁତାବକ ପ୍ରାତଃରେ ତିନି ରଥରେ ମଙ୍ଗଳଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା । ବଡଶଙ୍ଖ ନିକଟରେ ଅଟକି ରହିଥିବା ଦର୍ପଦଳନ ରଥ ସକାଳ ୯ଟାରେ ଟଣା ଯାଇଥିଲା । ଡାହୁକଙ୍କ ଡାକ ଓ ଘଣ୍ଟୁଆଙ୍କ ଘଣ୍ଟର ତାଳେ ତାଳେ ଆଗକୁ ମାଡିଚାଲିଥିଲା ଦର୍ପଦଳନ ଓ ନନ୍ଦିଘୋଷ । ବାରମ୍ବାର ମୋଡ ନେଉଥିଲା ନନ୍ଦିଘୋଷ ରଥ ।
ଶେଷରେ ୧୦ଟା୨୫ରେ ଦର୍ପଦଳନ ଓ ୧୦ଟା ୩୫ରେ ନନ୍ଦିଘୋଷ ଶ୍ରୀଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ପୂର୍ବରୁ ରହିଥିବା ତାଳଧ୍ୱଜ ନିକଟରେ ଉଭୟ ରଥକୁ ରଖା ଯିବା ପରେ ସଙ୍ଗେ ସଙ୍ଗେ ତିନି ରଥ ପାଇଁ ବାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ଫଳରେ ଟାଣ ଖରାରେ ଭକ୍ତଗଣ ସିଝି ରଥାରୂଢ ଠାକୁରଙ୍କୁ ଦର୍ଶନ କରିଥିଲେ । ପରେ ପରେ ରଥ ଉପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢିଥିଲା । ଗୁରୁବାର ଅପରାହ୍ଣରେ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ମଙ୍ଗଳବାର ରଥକୁ ଶୀଘ୍ର ଆସିଥିଲେ ସୁଦ୍ଧା ଧାର୍ଯ୍ୟ ସମୟରେ ଘୋଷଯାତ୍ରାରେ ବାହାରିଥିଲେ ଦାରୁଦିଅଁ । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସନ୍ଧ୍ୟା ପରେ ଶ୍ରୀଗୁଣ୍ଡିଚା ସମ୍ମୁଖରେ ପହଞ୍ଚିଥିଲା । କିନ୍ତୁ ଅଝଟ ହୋଇଥିଲେ ଦେବୀ ସୁଭଦ୍ରା ଓ ବିଶ୍ୱନିୟନ୍ତା ମହାପ୍ରଭୁ କଳାଠାକୁର । ତାଙ୍କର ଅଗଣିତ ଭକ୍ତଙ୍କୁ ଛାଡି ସେ ଆଗକୁ ଯାଇନଥିଲେ । ଦର୍ପଦଳନ ରଥ ବଡଶଙ୍ଖ ନିକଟବର୍ତ୍ତୀ ଅଞ୍ଚଳରେ ଅଟକିରହିଥିବା ବେଳେ ନନ୍ଦିଘୋଷ ରଥ ଅଟକି ରହିଥିଲା ମାଉସୀ ମା’ ସମ୍ମୁଖରେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରଥାରୂଢ ଠାକୁରଙ୍କୁ ମନଭରି ଦର୍ଶନ କରିଥିଲେ ଭକ୍ତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *