ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା
୧୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୧ା୬(ବୁ୍ୟରୋ): ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଯାହା ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏ ବାବଦରେ ଆସନ୍ତା ୫ ବର୍ଷରେ ୩୩୫୪ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏ ସମ୍ପର୍କିତ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।
କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାଙ୍କ ପୁଷ୍ଟିଗତ ଉନ୍ନତି ନିମନ୍ତେ ଅଣ୍ଡା, ଲଡୁ, ପୁଷ୍ଟିକର ସପ୍ଲିମେଣ୍ଟ ଇତ୍ୟାଦି ଯୋଗାଇ ଦିଆଯିବ । ଆଇସିଡିଏସ୍ ପ୍ରଜୋକ୍ଟ ସ୍ତରରେ କିଶୋରୀ ମେଳା ଆୟୋଜନ କରାଯିବ । ଏଥିସହିତ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଏବଂ ଅନ୍ୟାନ୍ୟ ଆଇଇସି, ଏସ୍ବିସିସି କାର୍ଯ୍ୟକଳାପ ସଂଗଠିତ ହେବ । ଗର୍ଭବତୀ ମହିଳା ଓ ପ୍ରସୂତୀଙ୍କ ଅତିରିକ୍ତ ଟେକ୍ ହୋମ୍ ରାସନ୍ ଆକାରରେ ଅଣ୍ଡା, ମିଲେଟ୍ ଏବଂ ପୃଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ୬ ବର୍ଷରୁ କମ୍ ଶିଶୁମାନଙ୍କୁ ମଧ୍ୟ ଏହି ଯୋଜନାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ।
ମୁଖ୍ୟ ସଚିବ ଶ୍ରୀ ଜେନା ବୁଧବାର କ୍ୟାବିନେଟ୍ ବୈଠକରେ ଗୃହୀତ ୧୫ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆଗତ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ସମ୍ପର୍କିତ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ମଲ୍ଟି ହସ୍ପିଟାଲ ନିମନ୍ତେ ୪୩.୦୫୦ ଏକର ଜମିର ବକେୟା ରାଜସ୍ୱ ଓ ସୁଧ ଛାଡ, ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଓଡିଶା ଦ୍ରବ୍ୟ ଓ ସେବାର କର ଆଇନରେ ସଂଶୋଧନ, ଅବଢା ଯୋଜନାର ବ୍ୟୟ ଅଟକଳ ୩୨୦୮ କୋଟିରୁ ୪୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି ଭଳି ସମୁଦାୟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି ।