ଭାରତର ଦମ୍ଦାର ବିଜୟ ଅଭିଯାନ
ସାଫ୍ ଚାମ୍ପିଅନ୍ସିପ୍
ବେଙ୍ଗାଲୁରୁ, ୨୧ା୬ (ଏଜେନ୍ସି): ସୁନୀଲ ଛେତ୍ରୀଙ୍କ ହାଟ୍ରିକ୍ ଗୋଲ୍ ବଳରେ ଭାରତ ବୁଧବାର ସାଫ୍ ଚାମ୍ପିଅନ୍ସିପ୍ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ୪-୦ରେ ହରାଇ ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି । ଭାରତୀୟ ଟିମ୍ ଶନିବାର ନିଜ ଦ୍ୱିତୀୟ ଗ୍ରୁପ୍-ଏ ମ୍ୟାଚ୍ରେ ନେପାଳକୁ ଭେଟିବ ।
ଏବେ ଛେତ୍ରୀଙ୍କ ଆନ୍ତର୍ଜାତିକ ଗୋଲ୍ ସଂଖ୍ୟା ୯୦ରେ ପହଞ୍ଚିଛି । ଆନ୍ତର୍ଜାତିକ ଫୁଟ୍ବଲ୍ରେ ଏସୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ଭାବେ ଛେତ୍ରୀ ନିଜ ସ୍ଥାନ ମଜଭୁତ କରିଛନ୍ତି । ଇରାନ୍ର ଅଲୀ ଦାଇ ୧୪୯ ମ୍ୟାଚ୍ରୁ ୧୦୯ ଗୋଲ୍ କରି ସର୍ବାଗ୍ରେ ଅଛନ୍ତି ।
ହିରୋ କଣ୍ଟିନେଣ୍ଟାଲ୍ କପ୍ରେ ଚାମ୍ପିଅନ୍ ହେବା ପରେ ଦୃଢ଼ ମନୋବଳ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ଶ୍ରୀ କାନ୍ତୀରଭା ଷ୍ଟାଡିୟମ୍ରେ ମ୍ୟାଚ୍ ଆରମ୍ଭରୁ ଭାରତ ନିଜ ଅଭିଜ୍ଞତା ଓ ଗୁଣାତ୍ମକତାର ପ୍ରଦର୍ଶନ କରିଥିଲା । ଯଦିଓ ପାକିସ୍ତାନ କିଛିଟା ପ୍ରତିରୋଧ କରିଥିଲା, ହେଲେ ଆୟୋଜକ ଟିମ୍ର ପ୍ରତିବଦ୍ଧତା ଆଗରେ ତିଷ୍ଠିପାରି ନ ଥିଲା ।
ଛେତ୍ରୀ ଲେବାନନ୍ ବିପକ୍ଷ ଇଣ୍ଟର୍କଣ୍ଟିନେଣ୍ଟାଲ୍ କପ୍ ଫାଇନାଲ୍ ତୁଳନାରେ ଆହୁରି ଉଚ୍ଚତର ପ୍ରଦର୍ଶନ କରିଥିଲେ । ୧୦ମ ମିନିଟ୍ରେ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଜରିଆରେ ସେ ଭାରତର ଖାତା ଖୋଲିଥିଲେ । ଏହାର ଛଅ ମିନିଟ୍ ପରେ ଭାରତୀୟ ଅଧିନାୟକ ଏକ ପେନାଲ୍ଟିକୁ ଗୋଲ୍ରେ ପରିଣତ କରି ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ ।
ପ୍ରଥମାର୍ଦ୍ଧରେ ଭାରତୀୟ ଟିମ୍ ଅଧିକ ଗୋଲ୍ କରିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ପାକିସ୍ତାନର ରକ୍ଷଣପନ୍ଥୀ ସ୍କୋର୍ଲାଇନ୍କୁ ଆଉ ବଢ଼ିବାକୁ ଦେଇ ନ ଥିଲେ । ପ୍ରଥମାର୍ଦ୍ଧରେ ଏହି ସ୍ଥିତି ରହିଥିଲା । ତେବେ ଜଣେ ପାକିସ୍ତାନୀ ଖେଳାଳିଙ୍କ ପାଇଁ ଅନ୍ତରାୟ ସୃଷ୍ଟି କରିଥିବା ଯୋଗୁଁ କୋଚ୍ ଇଗୋର ଷ୍ଟିମାକ୍ଙ୍କୁ ରେଡ୍ କାର୍ଡ ପ୍ରଦର୍ଶନ କରାଯିବା ଭାରତ ପାଇଁ ନୈରାଶ୍ୟଜନକ ଥିଲା । ଏହି କାରଣରୁ ଷ୍ଟିମାକ୍ଙ୍କୁ ମ୍ୟାଚ୍ର ଅବଶିଷ୍ଟ ସମୟ ପାଇଁ ଡଗ୍ଆଉଟ୍ ଛାଡ଼ିବାକୁ ପଡ଼ିଥିଲା ।
କୋଚ୍ଙ୍କ ଅନୁପସ୍ଥିତି ସତ୍ତ୍ୱେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଲୟ ବଳବତ୍ତର ରହିଥିଲା ଏବଂ ଆକ୍ରମଣାତ୍ମକ ଜାରି ରହିଥିଲା । ୭୪ତମ ମିନିଟ୍ରେ ଭାରତ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଆସିଥିଲା । ବକ୍ସ ଭିତରେ ପାକିସ୍ତାନ ରକ୍ଷଣପନ୍ଥୀ ଖେଳାଳି ଛେତ୍ରୀଙ୍କୁ ଫାଉଲ୍ ମାରିଥିଲେ । ରେଫରୀ ପ୍ରାଜୱାଲ୍, ଛେତ୍ରୀଙ୍କୁ ପେନାଲ୍ଟି କିକ୍ ପ୍ରଦାନ କରିଥିଲେ । ଏହାକୁ ଗୋଲ୍ରେ ପରିଣତ କରି ହାଟ୍ରିକ୍ ଅର୍ଜନ କରିଥିଲେ ଭାରତୀୟ ଅଧିନାୟକ । ପାକ୍ ଟିମ୍ ଉପରେ ଚାପ ବହୁତ ବଢ଼ିଯାଇଥିଲା ।
୮୧ତମ ମିନିଟ୍ରେ ଉଦାନ୍ତ ସିଂହ ଭାରତ ପକ୍ଷରୁ ଚତୁର୍ଥ ଗୋଲ୍ କରିଥିଲେ । ସନେ୍ଦଶ ଝିଙ୍ଗାନ୍ଙ୍କ ପାସ୍ ଜରିଆରେ ଏହି ଗୋଲ୍ ହୋଇଥିଲା । ଶେଷ ଯାଏଁ ପାକ୍ ଟିମ୍ ଗୋଟିଏ ବି ଗୋଲ୍ ପରିଶୋଧ କରିପାରି ନ ଥିଲା । ପ୍ରାୟ ୨୩ ହଜାର ଦର୍ଶକ ଏହି ମ୍ୟାଚ୍ ଦେଖିଥିଲେ ।