ଶରଧାବାଲିରେ ତାଳଧ୍ୱଜ

ପୁରୀ, ୨ଠା୬(ବୁ୍ୟରୋ): ଶ୍ରୀମନ୍ଦିର ରନôସିଂହାସନ ଛାଡ଼ି ଚତୁର୍ଦ୍ଧାବିଗ୍ରହ ଓହ୍ଲାଇ ଆସିଲେ ବଡ଼ଦାଣ୍ଡକୁ । ରଥାରୂଢ ହୋଇଛନ୍ତି ଦାରୁଦିଅଁ । ତାଙ୍କରି ସ୍ପର୍ଶରେ ରଥ, ପଥ ହୋଇଛି ବ୍ରହ୍ମମୟ । ଭକ୍ତଙ୍କ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି । ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଭାବରେ ଭିଜିଛନ୍ତି ଭକ୍ତ । ବଡ଼ଦାଣ୍ଡ ହୋଇଛି ଭକ୍ତ-ଭଗବାନଙ୍କ ମିଳନ ।
ରଥରେ ବାମନ ରୂପରେ ଦର୍ଶନ ଦେଇ, ଭାଇ ଭଉଣୀଙ୍କୁ ସାଥୀରେ ଧରି ମହାବାହୁ ବାହାରିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ । ନିତିନିର୍ଘଣ୍ଟ ଆଗୁଆ ଶେଷ ହୋଇଥିବାରୁ ମଙ୍ଗଳବାର ୩ଟା ୪ରେ ତାଳଧ୍ୱଜ, ୩ଟା ୫୫ରେ ଦର୍ପଦଳନ ଓ ୪ଟା ୫୦ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ଶରଧାବାଲିରେ କେବଳ ତାଳଧ୍ୱଜ ପହଞ୍ଚôଥିବାବେଳେ ଦର୍ପଦଳନ ବଡଶଙ୍ଖଠାରେ ଏବଂ ନନ୍ଦିଘୋଷ ମାଉସୀ ମା’ ଛକରେ ଅଟକିଛି । ବୁଧବାର ୯ଟାରେ ପୁଣି ରଥ ଟଣା ଆରମ୍ଭ ହେବ । ଦର୍ପଦଳନ ଓ ନନ୍ଦିଘୋଷ ଶରଧାବାଲିରେ ପହଞ୍ଚôବା ପରେ ତିନି ଠାକୁର ଆଡପମଣ୍ଡପ ବିଜେ କରିବେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସୋମବାରଠୁ ଭକ୍ତମୟ ହୋଇପଡିଥିଲା ଶ୍ରୀକ୍ଷେତ୍ର । ମଙ୍ଗଳବାର ସକାଳେ ବଡଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା । ପ୍ରାୟ ୧୦ ଲକ୍ଷ ଭକ୍ତ ଠୁଳ ହୋଇଥିଲେ । ଟାଣଖରା ଓ ଗୁଳୁଗୁଳିକୁ ଖାତିର ନ କରି ରଥାରୂଢ ଠାକୁରଙ୍କୁ ଦର୍ଶନ କରିବା ଲାଗି ଅପେକ୍ଷା କରିଥିଲେ ଭକ୍ତ । ନିର୍ଦ୍ଧାରିତ ନୀତିଠାରୁ ସାଢେ ୧ଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢେ ୮ଟାରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି । ହରିବୋଲ, ହୁଳହୁଳି, ଘଣ୍ଟନାଦ ଏବଂ ହରୀନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର । ପରମ୍ପରା ଅନୁଯାୟୀ ଧାଡି ପହଣ୍ଡିରେ ରନôସିଂହାସନରୁ ପ୍ରଥମେ ଓହ୍ଲାଇ ଆସିଥିଲେ ସୁଦର୍ଶନ । ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ନେଇ ଦର୍ପଦଳନ ରଥରେ ବିଜେ କରିଥିଲେ । ପରେ ବଡଠାକୁର ବଳଭଦ୍ର ପହଣ୍ଡିରେ ଆସିବା ସମୟରେ ଧୀରେ ଧୀରେ ଟହଲି ଟହଲି ଆଗକୁ ବଢିଥିଲେ । ପ୍ରାୟ ୧ଘଣ୍ଟା ଧରି ଝୁଲିଝୁଲି ଶେଷରେ ସକାଳ ସାଢେ୯ଟାରେ ବଡଠାକୁର ରଥାରୂଢ ହୋଇଥିଲେ । ଏହା ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆସି ରଥାରୂଢ ହୋଇଥିଲେ । ସୁରୁଖୁରୁରେ ଶେଷ ହୋଇଥିଲା ପହଣ୍ଡି ନୀତି । ପରେ ମଦନମୋହନ ଓ ରାମକୁଷ୍ନ ରଥକୁ ବିଜେ ହୋଇଥିଲେ ।
ଏହାପରେ ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା । ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କ ଶିଷ୍ୟ ଓ ସାଧକଙ୍କ ସହିତ ତିନିରଥକୁ ଯାଇ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ରଥ ଉପରେ ବେଶ ବଢିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଯାନରେ ଶ୍ରୀନଅରରୁ ଆସି ତିନି ରଥରେ ଛେରାପହଁରା କରିଥିଲେ । ଚାରମାଳ ଫିଟାହୋଇ ଘୋଡା ଓ ସାରଥି ଲାଗିବା ପରେ ଧାର୍ଯ୍ୟ ସମୟ ଠାରୁ ୧ଘଣ୍ଟା ପୂର୍ବରୁ ଅର୍ଥାତ୍ ୩ଟା୪ରେ ଆରମ୍ଭ ହୋଇଥିଲା ରଥଟଣା ।
ଭକ୍ତଙ୍କୁ ସୁରକ୍ଷା ତଥା ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରୀ ମନ୍ଦିର ସମେତ ସହରରେ ମୋଟ ୧୬୦ ପ୍ଲାଟୁନ୍ ଫୋର୍ସ ଓ ଏକ ହଜାରରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ ।
ମହାପ୍ରଭୁଙ୍କ ପହଣ୍ଡି ଓ ରଥ ଟାଣିବା ପାଇଁ ପୁରୀରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ତୁଷାରକାନ୍ତି ବେହେରା, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରୀତିରଞ୍ଜନ ଘଡାଇ । ସେହିପରି ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମାଙ୍କ ସମେତ ଅନେକ ବରିଷ୍ଠ ନେତା, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଆଇଜି ଆଶିଷ କୁମାର ସିଂହ,ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *