ରଥ-ପଥ ପ୍ରସ୍ତୁତ

ପୁରୀ, ୧୯ା୬ (ବୁ୍ୟରୋ): ସିଂହଦ୍ୱାରରେ ପ୍ରସ୍ତୁତ ହୋଇ ରହିଛି ତିନିରଥ । ଭକ୍ତମୟ ହୋଇପଡିଛି ଶ୍ରୀକ୍ଷେତ୍ର । ରଥ ଗଡ଼ିବାକୁ ସଜ ହୋଇଛି ବଡଦାଣ୍ଡ । ରଥ ଟାଣିବାକୁ ଉତ୍କଣ୍ଠିତ ହୋଇପଡିଛନ୍ତି ଭକ୍ତ । ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ । କେବଳ ପ୍ରଭୁଙ୍କୁ ଅପେକ୍ଷା ।
ମଙ୍ଗଳବାର ଘୋଷଯାତ୍ରାରେ ମହାପ୍ରଭୁ ରଥାରୂଢ଼ ହୋଇ ଯିବେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ । ବାଟରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । କେତେବେଳେ ଏହି ସମୟ ଆସି ପହଞ୍ଚିବ ତାହାକୁ ସମସ୍ତଙ୍କ ଅପେକ୍ଷା ।
ଏହା ପୂର୍ବରୁ ରବି ଓ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି ଭକ୍ତ । ୧୪ ଦିନ ଅଣସର ପରେ ଭକ୍ତଙ୍କୁ ଚତୁର୍ଦ୍ଧା ବିଗ୍ରହ ଉଭା ଓ ନବଯୌବନ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସୋମବାର ସକାଳେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସକାଳ ଧୂପ ନୀତିକାନ୍ତି ସମ୍ପନ୍ନ ହେଲା ପରେ ପୂଜାପଣ୍ଡା ସାମନ୍ତ ସେବାୟତମାନେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଯାଇଥିଲେ । ସେଠାରେ ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରଥମେ ପୁଲିସ୍ ବାହିନୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ରଥଖଳାରୁ ଟାଣି ସିଂହଦ୍ୱାରକୁ ଆଣିଥିଲେ । ପରେ ଦେବୀ ସଭୁଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଯାଇ ସିଂହଦ୍ୱାରରେ ପହଞ୍ଚିଥିଲା । ଏହି ସମୟରେ ରଥଖଳାଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ।
ସିଂହଦ୍ୱାରରେ ତିନି ରଥ ଲାଗିଲା ପରେ ଚାରମାଳ ବନ୍ଧା ହେବା ସହିତ ଘୋଡା ଯୋଚାଯାଇଛି ।
ମଙ୍ଗଳବାର ଭୋର ୬ଟାରେ ମଙ୍ଗଳଆଳତୀ ଓ ୯ଟାରେ ରଥ ପ୍ରତିଷ୍ଠା ହୋଇ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ସାଢେ ୨ଟାରେ ଛେରା ପହଁରାନୀତି ବଢି ୨ଟା ୩୦ରେ ଶେଷ ହେବ । ସେହିପରି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ଲାଗି ନୀତି ନିଘଣ୍ଟ ପ୍ରସ୍ତୁତ ହୋଇଛି । ପହଣ୍ଡି ସମୟରେ ଜଗମୋହନ ଏବଂ ନାଟମଣ୍ଡପ ମଧ୍ୟକୁ କାହାକୁ ଛଡାଯିବ ନାହିଁ । ଏପରିକି ଭିଭିଆଇପିମାନଙ୍କୁ ମଧ୍ୟ ଛଡାଯିବ ନାହିଁ । ପହଣ୍ଡି ଟିକେଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରି କୀର୍ତ୍ତନଚକଡା ବାରିକେଡ ମଧ୍ୟରେ ରହି ପହଣ୍ଡି ଦର୍ଶନ କରିବେ । ସେହିପରି ପହଣ୍ଡି ଟିକେଟ୍ଧାରୀମାନେ ପଶ୍ଚିମଦ୍ୱାର ଦେଇ ଭିତରକୁ ଯାଇ ବାରିକେଡ ଭିତରେ ରହି ଦର୍ଶନ କରିବେ । ପହଣ୍ଡି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିପାଇଁ ଅଭିଜ୍ଞ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ପହଣ୍ଡିବେଳେ ଏବଂ ରଥ ଉପରେ ଯେଭଳି ଶ୍ରୀବିଗ୍ରହଙ୍କୁ ଭକ୍ତମାନେ ସ୍ପର୍ଶ କରିବେ ନାହିଁ ତାହା ଉପରେ ରହିବ କଡା ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *