୨ଠ୨୩ରେ ଶେଷ ବିଶ୍ୱକପ୍ ଖେଳିବେ କି ରୋହିତ
ନୂଆଦିଲ୍ଲୀ, ୨୦ା୬ (ଏଜେନ୍ସି): ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ପାଇଁ କେବଳ ଅଧିନାୟକ ଭାବେ ନୁହେଁ, ଜଣେ ଖେଳାଳି ଭାବେ ମଧ୍ୟ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ମହାକୁମ୍ଭ କ୍ୟାରିଅରର ଶେଷ ବିଶ୍ୱକପ୍ ହୋଇପାରେ । ଏହାପରେ ସେ ଆଉ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିବାର ସମ୍ଭାବନା କମ୍ । ତିନି ସଙ୍କେତ ରୋହିତଙ୍କ ବିପକ୍ଷରେ ଯାଉଛି । ତାଙ୍କ ବାଲ୍ୟ କୋଚ୍ ଦିନେଶ ଲାଡ୍ ମଧ୍ୟ ମନେ କରୁଛନ୍ତି ଯେ ରୋହିତ ଏଥର ଶେଷ ବିଶ୍ୱକପ୍ ଖେଳିପାରନ୍ତି ।
ପ୍ରଥମ ସଙ୍କେତ: ଅଧିକ ବୟସ
୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ରୋହିତଙ୍କୁ ଏବେ ୩୬ ବର୍ଷ, ୫୧ ଦିନ । ୨୦୨୭ ବିଶ୍ୱକପ୍ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଯିବଣି । ସେହି ବୟସରେ ମହେନ୍ଦ୍ର ସିଂହ ଧୋନି ବି ଟିମ୍ ଇଣ୍ଡିଆ ପକ୍ଷରୁ ଖେଳି ନ ଥିଲେ । ବୟସାଧିକ୍ୟ ଯୋଗୁଁ ରୋହିତ ଦିନିକିଆ ସେଟ୍ଅପ୍ରେ ତିଷ୍ଠି ରହିବାର ସମ୍ଭାବନା ଖୁବ୍ କମ୍ । ଅତଏବ ଏହି ଫର୍ମାଟ୍ରେ ୨୦୨୭ ବିଶ୍ୱକପ୍ରେ ତାଙ୍କୁ ଦେଖିବାକୁ ମିଳିବନି ।
ଦ୍ୱିତୀୟ ସଙ୍କେତ: ଟି-୨୦ ସେଟ୍ଅପ୍ରୁ ବାହାରେ ଅଛନ୍ତି
ଟିମ୍ ଇଣ୍ଡିଆ ଗତ ବର୍ଷ ନଭେମ୍ବର ୧୦ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାଜିତ ହୋଇଥିଲା । ଏହି ପରାଜୟକୁ କେହି ଭୁଲିପାରିବେ ନାହିଁ । ଏହା ସମ୍ଭବତଃ ରୋହିତ ଶର୍ମାଙ୍କ ଶେଷ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଥିଲା । ସେବେଠାରୁ ତାଙ୍କୁ ଭାରତର ଟି-୨୦ ଟିମ୍ରୁ ବାହାରେ ରଖାଯାଇଛି । କ୍ଷୁଦ୍ରତମ ଫର୍ମାଟ୍ରେ ସେ ଭଲ ଫର୍ମରେ ନାହାନ୍ତି । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୩ରେ ମଧ୍ୟ ସେ ବ୍ୟାଟିଂରେ ବିଫଳ ହୋଇଥିଲେ ।
ତୃତୀୟ ସଙ୍କେତ: ଟେଷ୍ଟରେ ମଧ୍ୟ ଆହ୍ୱାନ କମ୍ ନୁହେଁ
ଟେଷ୍ଟ କ୍ରିକେଟ୍ ଏଭଳି ଫର୍ମାଟ୍, ଯେଉଁଥିରେ ରୋହିତଙ୍କ କ୍ୟାରିଅର ଆଉ ଦୁଇ-ତିନି ବର୍ଷ ଚାଲିପାରେ । ଅର୍ଥାତ୍ ରୋହିତଙ୍କୁ ଡବ୍ଲୁ୍ୟଟିସି ଟ୍ରଫି ପାଇଁ ଆଉ ଏକ ସୁଯୋଗ ମିଳିପାରେ । କିନ୍ତୁ ଏଥିପାଇଁ ଟିମ୍କୁ ପ୍ରଥମେ ଫାଇନାଲ୍ରେ ପହଞ୍ଚିବାକୁ ହେବ । ପୂର୍ବ ଡବ୍ଲୁ୍ୟଟିସି ଫାଇନାଲ୍ରେ ଟିମ୍ ଇଣ୍ଡିଆର ପରାଜୟ ପରେ ରୋହିତଙ୍କ ପ୍ରଦର୍ଶନ ଓ ନେତୃତ୍ୱକୁ ନେଇ ପ୍ରଶ୍ନ ବି ଉଠିଛି । ଭାରତୀୟ ଟେଷ୍ଟ ଟିମ୍ରେ ପରିବର୍ତ୍ତନର ସମୟ ଆରମ୍ଭ ହେବାକୁ ଯାଉଛି । ଆଗକୁ ରୋହିତଙ୍କ ପାଇଁ ଆହ୍ୱାନ ବଢ଼ିପାରେ । ଏଥିପାଇଁ ଫିଟ୍ନେସ୍ ବଜାୟ ରଖିବା ବି ଜରୁରୀ ।