ସିଗ୍ନାଲ୍ ଜେଇଙ୍କ ଘର ସିଲ୍

ବାହାନଗା ଟ୍ରେନ୍ ଟ୍ରାଜେଡି
ଭୁବନେଶ୍ୱର,୧୯ା୬(ବୁ୍ୟରୋ): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରିପଲ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତା’ର ପ୍ରାଥମିକ ତଦନ୍ତ କରି ଫେରିଯିବା ପରେ ସୋମବାର ପୁଣି ଫେରିଛି । ପୂର୍ବରୁ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ସୋର ସେକ୍ସନ ସିଗ୍ନାଲ ଜେଇ ଅମୀର ଖାନ୍ଙ୍କ ଭଡ଼ାଘରକୁ ସୋମବାର ଅପରାହ୍ଣରେ ସିଲ୍ କରିଛି ସିବିଆଇ । ସୋରସ୍ଥିତ ଜେଇଙ୍କ ଏହି ଭଡ଼ା ଘରକୁ ଜିଆର୍ପି ପୁଲିସ ଉପସ୍ଥିତିରେ ସିଲ୍ କରାଯାଇଥିବା ଜଣାପଡିଛି । ସୋମବାର ସନ୍ଧ୍ୟାରେ ବାହାନଗା ଷ୍ଟେସନ୍ ମାଷ୍ଟର ଏସ୍ପି ମହାନ୍ତିଙ୍କ ସୋର ବ୍ଲକ୍ ତେଣ୍ଟେଇସ୍ଥିତ ଘରେ ମଧ୍ୟ ସିବିଆଇ ଟିମ୍ ଚଢଉ କରିଛି । ଦୁର୍ଘଟଣା ପରେ କିଛି ଦିନ ହେଲା ସିଗ୍ନାଲ ଜେଇ ଓ ତାଙ୍କ ପରିବାର ଉକ୍ତ ଘରେ ଅନୁପସ୍ଥିତ ଥିଲେ । ଏବେ ତାଙ୍କ ଘର ସିଲ୍ ହୋଇଥିବା ବେଳେ ଜିଆର୍ପି ପୁଲିସ ଘରକୁ ଜଗି ବସିଛି । ପୂର୍ବରୁ ସିଗ୍ନାଲ ଜେଇ ଓ ଷ୍ଟେସନ ମାଷ୍ଟରଙ୍କୁ ଜେରା କରାଯାଇଥିଲା । ହେଲେ ଘରେ ସିଗ୍ନାଲ ଜେଇ ନ ଥିବା ବେଳେ ସିବିଆଇର ଦୁଇ ଜଣିଆ ଟିମ୍ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍ କରିବା ଅଲୋଚନାର ବିଷୟ ହୋଇଛି । ସିଗ୍ନାଲ ଜେଇ ଏବେ କେଉଁଠି ଅଛନ୍ତି ମଧ୍ୟ ଜଣାପଡ଼ିନି । ଏବାବଦରେ ରେଲୱେ ପକ୍ଷରୁ ମଧ୍ୟ କିଛି ସ୍ପଷ୍ଟ ଭାବେ ସୂଚନା ନାହିଁ ।
ପ୍ରକାଶ ଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି । ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି । ଜୁନ୍ ୨ ତାରିଖରେ ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *