ଭାରତ କିଣିବ ୩ଠ ପ୍ରିଡେଟର୍ ଡ୍ରୋନ୍
ପ୍ରତିରକ୍ଷା ମନ୍ତ୍ରାଳୟ ଦେଲା ମଞ୍ଜୁରି
ନୂଆଦିଲ୍ଲୀ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆମେରିକା ଠାରୁ ୩୦ଟି ଅତ୍ୟାଧୁନିକ ପ୍ରିଡେଟର ଡ୍ରୋନ୍ କିଣାଯିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ତେବେ ଚୁଡ଼ାନ୍ତ ନିଷ୍ପତ୍ତି ନେବ ପ୍ରତିରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ।
ସୂତ୍ର ଅନୁଯାୟୀ, ଗୁରୁବାର ଡିଫେନ୍ସ ଆକୁ୍ୟଜିସନ୍ କାଉନ୍ସିଲ୍ ବୈଠକରେ ଡ୍ରୋନ୍ କ୍ରୟ ପ୍ରସ୍ତାବରେ ମୋହର ଲାଗିଛି । ନୌବାହିନୀର ପୂର୍ବତନ ଭାଇସ୍ ଚିଫ୍ ଭାଇସ୍ ଆଡମିରାଲ୍ ଏସ୍ ଏନ୍ ଘୋରମାଡ଼େ କହିଛନ୍ତି, ଦେଶର ବିଶାଳ ସାମୁଦ୍ରିକ କ୍ଷେତ୍ର ଉପରେ ଦୃଷ୍ଟି ରଖିବା ପାଇଁ ଏହି ଆମେରିକୀୟ ଡ୍ରୋନ୍ କିଣାଯିବା ଅତ୍ୟନ୍ତ ଜରୁରୀ । ତା’ସହିତ ପଶ୍ଚିମ ଉତ୍ତରସୀମା ପାଇଁ ପ୍ରିଡେଟର ଡ୍ରୋନ୍ର ଆବଶ୍ୟକତା ରହିଛି ।
ପ୍ରିଡେଟର ଡ୍ରୋନ୍ ଆକାଶରେ ପ୍ରାୟ ୩୫ ଘଣ୍ଟା ରହିପାରେ । ଏହା ସମ୍ପୂର୍ଣ୍ଣ ରୂପେ ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ । ପ୍ରିଡେଟର ପାଇଁ ମାତ୍ର ୨ଜଣ ଲୋକ ଆବଶ୍ୟକ । ଥରେ ଉଡ଼ାଣ ଭରିଲେ ଏହି ଡ୍ରୋନ୍ ୧୯୦୦ କିମି ଇଲାକା ଉପରେ ଦୃଷ୍ଟି ରଖିପାରେ । ଏହାର ଘଣ୍ଟାପ୍ରତି ବେଗ ୪୮୨ କିମି । ପ୍ରିଡେଟରକୁ ନେକ୍ସଟ୍ ଜେନେରେସନ୍ ଡ୍ରୋନ୍ କୁହାଯାଉଛି । ଇସ୍ରାଏଲ୍ ଓ ଆମେରିକା ଛଡ଼ା ଅନ୍ୟ କୌଣସି ଦେଶ ପାଖରେ ଏତେ ଅତ୍ୟାଧୁନିକ ଡ୍ରୋନ୍ ନାହିଁ । ଏହି ଡ୍ରୋନ୍ ସାହାଯ୍ୟରେ ଅଲ୍କାଏଦା ନେତା ଅଲ୍-ଜାବାହିରିଙ୍କୁ ହତ୍ୟା କରାଯାଇଥିଲା ।