୨ଠ୨୪ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର, ଅଶ୍ୱିନୀ

ଭୁବନେଶ୍ୱର,୧୫ା୬(ବୁ୍ୟରୋ/ତଥ୍ୟ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଦଳର ସମସ୍ତ ରାଜ୍ୟସଭା ସାଂସଦ ନିର୍ବାଚନରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦଳର ୧୮ ରାଜ୍ୟସଭା ସାଂସଦ ନିର୍ବାଚନ ଲଢିବେ ଯେଉଁଥିରେ ୧୨ ଜଣ ସଦସ୍ୟ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ସାଧାରଣ ନିର୍ବାଚନରେ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ଓଡିଶା କୋଟାରୁ ରାଜ୍ୟସଭାକୁ ଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିର୍ବାଚନ ଲଢିବା ସମ୍ଭାବନା ଅଛି । ସେ ବାଲେଶ୍ୱର କିମ୍ବା କଟକ ଲୋକସଭା ଆସନରୁ ଦଳୀୟ ଟିକେଟ୍ରେ ପ୍ରତିଦ୍ୱନ୍ଦିତା କରିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଏ ଭିତରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛି । କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନ ଲଢ଼ିଲେ ଏହାର ସିଧାସଳଖ ଫାଇଦା ଦଳକୁ ମିଳିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ନେଇ ସନେ୍ଦହ ନାହିଁ । ତେବେ କେଉଁ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ତାହା ଦଳ ସ୍ଥିର କରିବ । ସେହିପରି ଅଶ୍ୱିନୀ ବୈଷ୍ଣବ କେଉଁଠୁ ଲଢ଼ିବେ ବର୍ତ୍ତମାନ ସୁଦ୍ଧା ଠିକ୍ ହୋଇ ନାହିଁ ।
ଧର୍ମେନ୍ଦ୍ରଙ୍କୁ ପ୍ରଥମେ ବିହାରରୁ ରାଜ୍ୟସଭାକୁ ବିଜେପି ମେଣ୍ଟ ପଠାଇଥିଲା । ପରବର୍ତ୍ତୀ ସମୟରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ୨୦୧୪ରୁ ଏଯାବତ୍‌ ନରେନ୍ଦ୍ର ମୋଦିଙ୍କ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଆସିବା ସହିତ ଅନେକ ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ଦଳ ତରଫରୁ କାମ କରିଛନ୍ତି । ଓଡ଼ିଶା ବିଜେପି ସଙ୍ଗଠନ ଉପରେ ତାଙ୍କର ବେଶ୍‌ ନିୟନ୍ତ୍ରଣ ରହିଛି । ତାଙ୍କର ୧୨ବର୍ଷର ରାଜ୍ୟସଭା ଅବଧି ୨୦୨୪ରେ ପୂରଣ ହେଉଛି । ଯେଉଁ ନେତାମାନେ ଏକାଧିକ ବାର ରାଜ୍ୟସଭା ସଦସ୍ୟ ହୋଇଛନ୍ତି ଏବଂ ବିଶେଷ କରି ଏହି ଆଧାରରେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନକୁ ବିଜେପି ଓହ୍ଲାଇବା ପାଇଁ ସବୁଜ ସଙ୍କେତ ଦେଇଥିବା କୁହାଯାଉଛି । ଏହି କ୍ରମରେ ଜାତୀୟ ଗଣମାଧ୍ୟମରେ ଓ ରାଜନୈତିକ ସ୍ତରରେ ଧର୍ମେନ୍ଦ୍ରଙ୍କ ସମେତ କେତେକ କେନ୍ଦ୍ରମନ୍ତ୍ରୀଙ୍କ ନାମ କିଛିଦିନ ଧରି ଚର୍ଚ୍ଚାରେ ରହିଛି ।
ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା କ୍ଷେତ୍ରରୁ ଓଡ଼ିଶା ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇ ଆସିବାବେଳେ ତାଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଦେବଗଡ଼ ଆସନରୁ ଲୋକସଭା ସଦସ୍ୟ ହୋଇଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନ ଗୋଟିଏ ସମୟରେ ରାଜ୍ୟ ବିଜେପିର ସଭାପତି ଥିଲେ ଏବଂ ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ । ଧର୍ମେନ୍ଦ୍ର ତାଙ୍କ ପିତାଙ୍କ ଲୋକସଭା ଆସନ ଦେବଗଡ଼ରୁ ୨୦୦୪ରେ ଜିଣିଥିଲେ ମଧ୍ୟ ୨୦୦୯ରେ ପରାସ୍ତ ହୋଇଥିଲେ । ଧର୍ମେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ବିଜେପିର ସାଙ୍ଗଠନିକ ପଦପଦବୀରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଛନ୍ତି ।
ଓଡ଼ିଶା ବିଜେପିର ବହୁ ନେତା ଧର୍ମେନ୍ଦ୍ରଙ୍କୁ ରାଜ୍ୟର ବିକଳ୍ପ ନେତା ଭାବେ ବିବେଚନା କରୁଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ବିଜେପି ଏଯାବତ୍‌ କୋ÷ଣସି ନେତାଙ୍କ ନାମ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିନାହିଁ । ଫଳରେ ଧର୍ମେନ୍ଦ୍ରଙ୍କ ସମେତ ଆଉ କେତେକ ନେତାଙ୍କ ନାମ ଦଳୀୟ କର୍ମୀ ମହଲରେ ଏଥିଘେନି ଚର୍ଚ୍ଚାରେ ରହିଛି । ଏ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କୁ ଯଦି କେନ୍ଦ୍ର ବିଜେପି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଦେବାକୁ ଚାହିଁବ ତେବେ ୨୦୨୪ର ବିଧାନସଭା ନିର୍ବାଚନରେ ସେ ଦଳର ବିଧାନସଭା ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ଯଦି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ପୁଣି କେନ୍ଦ୍ରୀୟ ରାଜନୀତି ତଥା କେନ୍ଦ୍ର ସରକାରରେ ବର୍ତ୍ତମାନ ଭଳି ରଖିବାକୁ ଚାହିଁବେ ତେବେ ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ଇତିମଧ୍ୟରେ ଦେବଗଡ଼ ଲୋକସଭା ଆସନ ବରଗଡ଼ ଓ ସମ୍ବଲପୁରରେ ମିଶି ଯାଇଛି । ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲା ଅବିଭକ୍ତ ଢେଙ୍କାନାଳରେ । ତେଣୁ ସେ ଢେଙ୍କାନାଳ, ବରଗଡ଼ କିମ୍ବା ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଥବା ଅନ୍ୟ କୋ÷ଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ରୀୟ ନେତୃତ୍ୱ ଚାହିଁଲେ ସେ ତୃତୀୟ ଥର ପାଇଁ କୋ÷ଣସି ରାଜ୍ୟରୁ ରାଜ୍ୟସଭାକୁ ଯିବାରେ ଅସୁବିଧା ନାହିଁ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ଅନ୍ୟତମ ମନ୍ତ୍ରୀ ପିୟୁଷ ଗୋଏଲ୍‌, ପୁରୁଷୋତ୍ତମ ରୁପାଲା, ମନ୍‌ସୁଖ ମାଣ୍ଡଭୀୟ, ହର୍‌ଦୀପ ସିଂ ପୁରୀ, ଭୂପେନ୍ଦ୍ର ଯାଦବ ଆଦିଙ୍କ ନାମ ଏହି କ୍ରମରେ ଚର୍ଚ୍ଚାରେ ରହିଛି । ଏମିତିକି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେ. ପି. ନଡ୍ଡା ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ଲଢି ପାରନ୍ତି । ରାଜ୍ୟସଭା ସଦସ୍ୟ ଥିବା ସୁଶୀଲ କୁମାର ମୋଦୀ, କେ. ଲକ୍ଷ୍ମଣ ବି ଏଥର ଲୋକସଭା ନିର୍ବାଚନ ଲଢିବା ଘେନି ଚର୍ଚ୍ଚା ହେଉଛି । ବିଭିନ୍ନ ରାଜ୍ୟର କେତେକ ଟାଣୁଆ ବିଜେପି ବିଧାୟକଙ୍କୁ ଦଳ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ । ୨୦୧୯ ତୁଳନାରେ ଏଥର ଅଧିକ ଆସନ ହାତେଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବା ସହିତ ସଂସଦୀୟ କ୍ଷେତ୍ରଗୁଡିକୁ ପ୍ରବାସ କାର୍ଯ୍ୟକ୍ରମରେ ଟାଣୁଆ ନେତାମାନଙ୍କୁ ପଠାଉଛି । ତେବେ କର୍ଣ୍ଣାଟକ, ରାଜସ୍ଥାନ, ପଞ୍ଜାବ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳିି କେତେକ ରାଜ୍ୟ ବିଧାନସଭାର ଫଳାଫଳ ଗତ ୫ବର୍ଷ ମଧ୍ୟରେ ବିଜେପି ବିପକ୍ଷରେ ଯାଇଥିବା ପରିପ୍ରେକ୍ଷୀରେ କଂଗ୍ରେସ ଓ ଅନ୍ୟ ଅଣବିଜେପି ନେତାମାନେ ପୁରା ଦମ୍‌ରେ ‘ବିଜେପି ହଟାଅ’ ଅଭିଯାନ ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ଏହାକୁ ମୁକାବିଲା କରିବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *