ବିରୋଧୀଙ୍କ ପାଟନା ବୈଠକ

ଲିଡ୍ ରୋଲ୍ରେ ରହିବେ ପାୱାରପାଟ୍ନା,୧୪ା୬: ବିହାର ରାଜଧାନୀ ପାଟନା ଆସନ୍ତା ୨୩ରେ ହେବାକୁ ଥିବା ବିରୋଧୀ ଦଳମାନଙ୍କ ବୈଠକ ଯେତିକି ପାଖେଇ ଆସୁଛି, ସେ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିବାରେ ଲାଗିଛି । ପ୍ରସ୍ତାବିତ ବିରୋଧୀ ମହାମେଣ୍ଟରେ ଏନ୍ସିପି ନେତା ଶରଦ ପାୱାରଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେବ । କେଉଁ ଦଳ କେଉଁ ରାଜ୍ୟରେ କେତେ ଆସନରେ ଲଢିବ, ବିରୋଧୀ ମହାମେଣ୍ଟର ନେତୃତ୍ୱ କିଏ ନେବେ, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ କି ନାହିଁ ଏବଂ ଯଦି ହେବ କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଇତ୍ୟାଦି ପ୍ରସଙ୍ଗ ପାଟନା ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ହେବ ।
ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଧ୍ୟକ୍ଷତା କରିବେ । ତେବେ ସୂତ୍ର ଅନୁଯାୟୀ, ଶରଦ ପାୱାରଙ୍କୁ ହିଁ ବିରୋଧୀଙ୍କ ଏଜେଣ୍ଡା ପ୍ରସ୍ତୁତି ଦାୟିତ୍ୱ ଦିଆଯିବ । ପାୱାର ମଧ୍ୟ ବିରୋଧୀ ମେଣ୍ଟ ପାଇଁ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା ସମ୍ଭାବନା ଅଛି । ସାଧାରଣତଃ କୌଣସି ମେଣ୍ଟ ଗଢାଗଲେ ପ୍ରଥମେ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଥାଏ ।
ସବୁ ବିରୋଧୀ ଦଳ ଶରଦ ପାୱାରଙ୍କ ନେତୃତ୍ୱକୁ ଗ୍ରହଣ କରିବେ ବୋଲି ନୀତୀଶ କୁମାର ଆଶା ପ୍ରକାଶ କରିଛନ୍ତି । ଏହି ବୈଠକରେ ୧୬ଟି ଦଳର ନେତାମାନେ ଯୋଗଦେବା ସମ୍ଭାବନା ଅଛି । କଂଗ୍ରେସକୁ ଛାଡି ଅନ୍ୟ ବିରୋଧୀ ଦଳମାନେ ଏହି କଥାରେ ରାଜି ହୋଇଛନ୍ତି ଯେ ପ୍ରଥମେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକସଭା ନିର୍ବାଚନ ମିଳିତଭାବେ ଲଢିବାକୁ ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରସଙ୍ଗ ନେଇ ବିବାଦ ସୃଷ୍ଟି ନ ହେଉ । ଅନ୍ୟଥା ବିରୋଧୀ ଶିବିରରେ ଝଡ ସୃଷ୍ଟି ହୋଇପାରେ । ଇତିମଧ୍ୟରେ ଅଧିକାଂଶ ବିରୋଧୀ ଦଳ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ଏକଜୁଟ ହୋଇଛି । ସେମାନଙ୍କ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ହେବ ଜାତିଗତ ଆରକ୍ଷଣ ହାର ବୃଦ୍ଧି ଓ ଜାତି ଜନଗଣନା କରାଇବା ।
ଆସନ ବୁଝାମଣା ଫର୍ମୁଲା ମଧ୍ୟ ପାଟନା ବୈଠକରେ ସ୍ଥିର ହେବ । ଯେଉଁ ରାଜ୍ୟରେ ଯେଉଁ ଦଳର ଅଧିକ ପ୍ରଭାବ ଅଛି, ସେହି ରାଜ୍ୟରେ ସେହି ଦଳ ବିରୋଧୀ ମେଣ୍ଟର ନେତୃତ୍ୱ ନେବ । ଏହି କ୍ରମରେ ବିହାରରେ ଆର୍ଜେଡି-ଜେଡିୟୁ ମୁଖ୍ୟ ଭୂମିକା ନିଭାଇବେ । ସେହିପରି ଜନାଧାର ଅନୁସାରେ ଅନ୍ୟ ଦଳଙ୍କୁ କିଛି ଆସନରେ ଲଢିବାକୁ ସୁଯୋଗ ଦିଆଯିବ । ୟୁପିରେ ସମାଜବାଦୀ ପାର୍ଟି ଅଧିକ ଆସନରେ ପ୍ରାର୍ଥୀ ଦେବ । ରାଜସ୍ଥାନ-ଛତିଶଗଡ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ନେତୃତ୍ୱ ନେବ କଂଗ୍ରେସ । କୌଣସି ରାଜ୍ୟରେ ବିବାଦ ଉପୁଜିଲେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯିବ ।
କୁହାଯାଉଛି ଯେ ଏହି ଫର୍ମୁଲାରେ ବିରୋଧୀ ଦଳମାନେ ୫୪୩ ଲୋକସଭା ଆସନ ମଧ୍ୟରୁ ପ୍ରାୟ ୪୫୦ରେ ବିଜେପି ସହ ସିଧା ମୁକାବିଲା କରିପାରିବେ ।
ଯଦି ଦୈବାତ ବିରୋଧୀ ମେଣ୍ଟ ଗଠନ ହୋଇ ନ ପାରିଲା ତା’ର ପ୍ରତ୍ୟକ୍ଷ ପ୍ରଭାବ ମେଣ୍ଟ ଉପରେ ତଥା ସଂସଦୀୟ ନିର୍ବାଚନମଣ୍ଡଳୀ ଉପରେ ପଡିବ ଯେଉଁଥିରୁ ଫାଇଦା ନେବ ବିଜେପି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *