ମା’ ଆଗରେ ପୁଅକୁ ଟାଣିନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ, ୧୪ ।୬ (ଆପ୍ର): ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ନିମପୁର ଗାଁ ଆଜି ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନଦୀରେ ଗାଧୋଇବାବେଳେ ମା’ ସାମ୍ନାରେ ଏକମାତ୍ର ନାବାଳକ ପୁତ୍ରକୁ ନଦୀ ଗର୍ଭକୁ ଝାମ୍ପି ନେଇଛି କୁମ୍ଭୀର । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ରଜ ଅବସରରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ପାଇଁ ଅଶୋକ ଆଚାର୍ଯ୍ୟଙ୍କ ପତ୍ନୀ ପୁଷ୍ପଲତା, ନାବାଳକ ପୁତ୍ର ଆଶୁତୋଷ(୧୦), କନ୍ୟା ସୁଶ୍ରୀ ସଂଗୀତା ବୁଧବାର ସକାଳ ୭ଟାରେ ଯାଇଥିଲେ । ମା’ କୋଳରେ ବସି ନାବାଳକ ଆଶୁତୋଷ ଗାଧୋଉଥିବାବେଳେ ହଠାତ ଏକ ବଡ଼ ବଉଳା କୁମ୍ଭୀର ଝାମ୍ପ ମାରି ଆଶୁତୋଷକୁ ଗଭୀର ନଦୀ ଗର୍ଭକୁ ନେଇଯାଇଥିଲା । ମା’ର ଆକୁଳ କ୍ରନ୍ଦନ ଶୁଣି ପରିବାର ଓ ଗାଁ ଲୋକମାନେ ଘଟଣାସ୍ଥଳରେ ପହଂଚିଥିଲେ । ଖବର ପାଇ ଦମକଳ ବାହିନୀ ନଦୀ ଗର୍ଭରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶୁତୋଷର କୌଣସି ସନ୍ଧାନ ପାଇନଥିଲେ । ତେବେ ପରେ ନିକଟବର୍ତ୍ତୀ ନରେନ୍ଦ୍ରପୁର ଗ୍ରାମର ବ୍ରାହ୍ମଣୀ ନଦୀ କୂଳରୁ ଆଶୁତୋଷର ମୃତ ଶରୀର ମିଳିଥିଲା ।
ଆଶୁତୋଷ ନିମପୁର ଶାସନ ନୋଡାଲ ହାଇସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା । ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ଶାସନ ସରପଞ୍ଚ ସଂଗ୍ରାମ ବାରିକ, ସମିତିସଭ୍ୟ ଡଲି ପରିଡା ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବିଧାୟକ ଶ୍ରୀସାହୁ ରାଜନଗର ଡିଏଫ୍ଓଙ୍କ ସହିତ ଆଲୋଚନା କରି କୁମ୍ଭୀର ଉପଦ୍ରବ କରୁଥିବା ବିଭିନ୍ନ ନଦୀରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣ କରୁଥିବାରୁ ଲୋକମାନଙ୍କ ସୁରକ୍ଷା ଦାବି କରି ନିମପୁର ଶାସନ ଗ୍ରାମବାସୀମାନେ ପଟ୍ଟାମୁଣ୍ଡାଇ -ରାଜନଗର ନଦୀ ବନ୍ଧ ରାସ୍ତାରେ ରାସ୍ତାରୋକ କରିଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ,ଏସ ଡି ପି ଓ ସନ୍ଧ୍ର୍ୟାରାଣୀ ବେଉରିଆ, ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ, ଗ୍ରାମାଞ୍ଚଳ ଥାନା ଆଇଆଇସି ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା । ସ୍ଥାନୀୟ ପୁଲିସ୍ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି ।
କିଛି ମାସ ତଳେ ନିମପୁର ଗାଁର ବାବୁ ଭୂୟାଁଙ୍କୁ ନଦୀରେ ଗାଧୋଇବାବେଳେ କୁମ୍ଭୀର ଆକ୍ରମଣ କରିଥିଲା । ସାହସୀ ବାବୁ କୁମ୍ଭୀର ସହିତ ଲଢେଇ କରି ଅଳ୍ପକେ ବଞ୍ଚି ଯାଇ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା ଲାଭ କରି ଘରକୁ ଫେରିଥିଲେ ।