ମଣିପୁରରେ ସାନି ହିଂସା ୧୧ ନିହତ, ୨୩ ଆହତ
ଇମ୍ଫାଲ,୧୪ା୬: ମଣିପୁରର ମୈତେଈ ବହୁଳ କାଙ୍ଗପୋକୀ ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ୪ ହଜାର ଉପଦ୍ରବକାରୀ ପଶି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣ ଲୋକଙ୍କ ମୃତୁ୍ୟ ଘଟିଛି, ୨୩ ଜଣ ଆହତ ହୋଇଛନ୍ତି । ମଣିପୁରର ମହିଳା ଗନ୍ ସର୍ଭାଇଭର୍ସ ନେଟୱର୍କର ପ୍ରତିଷ୍ଠାତ୍ରୀ ବିନାଲକ୍ଷ୍ମୀ ନେପରାମ କହିଛନ୍ତି, ଖାମେଲୋକ ଗ୍ରାମରେ ୧୨ ଜଣ ଲୋକ ନିହତ ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି । ପୁଲିସ ବୟାନ ଅନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ଖାମେଲୋକ ଗାଁରେ ଏହି ଆକ୍ରମଣ ହୋଇଥିଲା । ଉପଦ୍ରବକାରୀମାନେ ଅତ୍ୟାଧୁନିକ ମାରଣାସ୍ତ୍ର ସହ ଆସିଥିଲେ । ଏହାଛଡ଼ା ମଙ୍ଗଳବାର ବିଷ୍ଣୁପୁର ଜିଲ୍ଲାରେ ମଧ୍ୟ ହିଂସାକାଣ୍ଡ ଘଟିଛି । ଜିଲ୍ଲାର ଗୋଟିଏ ଗ୍ରାମରେ କୁକି ଲୋକମାନେ ମୈତେଈ ଇଲାକାରେ ବଙ୍କର ତିଆରି କରିବା ଉଦ୍ୟମ କରୁଥିବା ବେଳେ ସୁରକ୍ଷାବାହିନୀ ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା । ସୋମବାର ରାତିରେ ମଧ୍ୟ ଖାମେଲୋକ ଇଲାକାରେ ଗୁଳିବର୍ଷଣ ହୋଇଥିଲା ।
ମାସାଧିକ କାଳ ହିଂସାକାଣ୍ଡ ଜାରି ରହିଥିବାରୁ ରାଜ୍ୟରେ ଇଣ୍ଟରନେଟ୍ ବ୍ୟାନ୍କୁ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଇମ୍ଫାଲ ଇଷ୍ଟ୍ ଓ ଇମ୍ଫାଲ ୱେଷ୍ଟର ଜିଲ୍ଲା ମାଜିଷ୍ଟ୍ରେଟ୍ କର୍ଫୁ୍ୟ କୋହଳ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି । ଏହି ଦୁଇ ଜିଲ୍ଲାରେ ସନ୍ଧ୍ୟା ୬ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫୁ୍ୟ କଟକଣା କୋହଳ କରାଯାଇଥିଲା । ମଣିପୁର ସ୍ଥିତି ନିୟନ୍ତ୍ରଣ ପାଇଁ ଜରୁରୀ ପଦକ୍ଷେପ ସମ୍ବନ୍ଧୀୟ ପରାମର୍ଶ ଦେବା ଦାୟିତ୍ୱ ଆସାମ ମୁଖ୍ୟମନ୍ତ୍ରୀ ତଥା ପୂର୍ବୋତ୍ତର ସମନ୍ୱୟ ପରିଷଦର ଅଧ୍ୟକ୍ଷ ହେମନ୍ତ ବିଶ୍ୱା ସରମାଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେ ମଣିପୁରର ତାଜା ସ୍ଥିତି ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ରିପୋର୍ଟ ଦେବେ ।