ଲ୍ୟାଣ୍ଡଫଲ୍ ପୂର୍ବରୁ କଚ୍ଛରେ ଭୂକମ୍ପ
ପୋରବନ୍ଦର/ଦ୍ୱାରକା/କଚ୍ଛ,୧୪ା୬: ସନ୍ଧ୍ୟା ୫ଟାରେ ହୋଇଥିବା ଭୂମିକମ୍ପର କେନ୍ଦ୍ର ପଶ୍ଚିମ-ଦକ୍ଷିଣ-ପଶ୍ଚିମବର୍ତ୍ତୀ ଭଚାଉ ଠାରୁ ୫ କିମି. ଦୂରରେ ଥିଲା । ଜାତୀୟ ସିସ୍ମୋଲଜି କେନ୍ଦ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ଥିଲା ୩.୫ । ଏହାପୂର୍ବରୁ ଅପରାହ୍ଣ ପ୍ରାୟ ୪ଟା ବେଳେ ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଠାରେ ମୃଦୁ ଭୂକମ୍ପ ହୋଇଥିଲା । ତାହାର ତୀବ୍ରତା ଥିଲା ୩.୪ । ଗତ ୨୪ ଘଣ୍ଟା ଭିତରେ କଶ୍ମୀର ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା ।
ମହାବାତ୍ୟା ରୂପ ନେଇଥିବା ବିପର୍ଯ୍ୟୟ ପାଇଁ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାର ଚିନ୍ତିତ । କେବଳ ଗୁଜରାଟ ନୁହେଁ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଗୋଆ ସମେତ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ବାତ୍ୟା ଚେତାବନୀ ଜାରି କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା ‘ବିପର୍ଯ୍ୟୟ’ କାରଣରୁ ତେଲେଙ୍ଗାନା ଗସ୍ତ ବାତିଲ କରିଛନ୍ତି । ୧୫ ତାରିଖ ଦିନ ସେ ଖମ୍ମମ ଠାରେ ଏକ ରାଲିରେ ଉଦ୍ବୋଧନ ଦେବାର ଥିଲା । ଅମିତ୍ ଶାହା ‘ବିପର୍ଯ୍ୟୟ’ ସମ୍ବନ୍ଧୀୟ ବ୍ୟବସ୍ଥାର ମନିଟରିଂ କରିବେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ମିଳିଥିବା ଅପଡେଟ୍ ଅନୁଯାୟୀ, ‘ବିପର୍ଯ୍ୟୟ’ ଘଣ୍ଟା ପ୍ରତି ୮ କିମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସକାଳ ସାଢ଼େ ଆଠଟା ବେଳେ ଦ୍ୱାରକା ଠାରୁ ୨୯୦ କିମି. ଦୂରରେ ଥିଲା ।