୧୮ରୁ ପ୍ରାକ୍ ମୌସୁମୀ ବର୍ଷା
ଭୁବନେଶ୍ୱର,୧୪ା୬(ବୁ୍ୟରୋ): ଆସନ୍ତା ୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ଆରବସାଗରରେ ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ । ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହାର ପ୍ରଭାବରେ ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଗୁରୁବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପୁଣି ତାପମାତ୍ରା ବୃଦ୍ଧି ପାଇବ । ପଶ୍ଚିମ ଓଡିଶାରେ ତାପମାତ୍ରା ସ୍ୱଭାବିକ ଠାରୁ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ହିଟ୍ ୱେବ ସତର୍କତା ଜାରି ହୋଇଛି । ଆସମନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଜାରି ରହିବ । ପ୍ରାକ୍ ମୌସୁମୀ ବର୍ଷା ପରେ ପଗ ବଦଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାରଠାରୁ ଦିନ ଓ ରାତିର ତାପମାତ୍ରା ବଢିବ । ଉଷ୍ମ ରାତି ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ ଉପରେ ରହିବ । ଦିନରେ ଭୀଷଣ ଗ୍ରୀଷ୍ମପ୍ରବାହ ଏବଂ ଉଷ୍ମ ରାତିରେ ହେବ ଅସ୍ୱାଭାବିକ ସ୍ଥିତି ରହିବ । ବୁଧବାର ରାଜ୍ୟରେ ୪ ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଥିଲା । ସୋନପୁରରେ ପାରଦ ୪୪.୧ ଡିଗ୍ରୀ ଛୁଇଁବା ସହିତ ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ସେହିପରି ସମ୍ବଲପୁରରେ ଦିନର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ରହିଥିବା ବେଳେ ହୀରକୁଦରେ ୪୩.୭ ଡିଗ୍ରୀ ଝାରସୁଗୁଡାରେ ୪୩.୬ ଓ ଭବାନୀ ପଟଣାରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫, ଟିଟିଲାଗଡରେ ୪୨.୫, ବଲାଙ୍ଗିରରେ ୪୨.୫, ବରଗଡରେ ୪୨.୨, ମାଲକାନଗିରିରେ ୪୨ ଡିଗ୍ରୀ, ସୁନ୍ଦରଗଡରେ ୪୧.୩, ନୂଆପଡାରେ ୪୧, ତାଲଚେରରେ ୪୦.୬, ଅନୁଗୁଳରେ ୪୦.୧, ରାଉରକେଲା ଓ ନୟାଗଡରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି ।