ଆଉ ୫ ଦିନ ଜଳିବ

ସମ୍ବଲପୁରରେ ୪୬.୧୦, ଭୁବନେଶ୍ୱରରେ ୪୪.୩୦
ଭୁବନେଶ୍ୱର, ୧୨ା୬(ବୁ୍ୟରୋ): ଗରମ, ଗୁଳୁଗୁଳି ଆଉ ଝାଞ୍ଜି ପବନ । ଗତ କିଛିଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସତେ ଯେମିତି ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ । ଆକାଶରୁ ନିଆଁ ବର୍ଷା ହେଉଛି । ଉପାନ୍ତରୁ ଉପକୂଳ ସବୁଠି ଲାଗିରହିଛି ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ଦିନ ଯାଏଁ ସାରା ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେବା ପରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛିି । ରାଜ୍ୟରେ ଆଉ ଦୁଇ ଦିନ ହିଟ୍ ୱେଭ ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ସୋମବାର ଖରା ସବୁ ରେକର୍ଡ ଭାଙ୍ଗି ଦେଇଛି । ଏବର୍ଷ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ସୋମବାର ଦିନ ୨.୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ତାପମାତ୍ରା ୪୬ ଡିଗ୍ରୀ ପାର୍ କରିଯାଇଛି । ସମ୍ବଲପୁର ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ହୋଇଛି । ସେହିପରି ହୀରାକୁଦରେ ୪୫.୬, ସୋନପୁରରେ ୪୫, ବରଗଡରେ ୪୪.୯, ବଲାଙ୍ଗିର, ବୌଦ୍ଧ, ଟିଟିଲାଗଡ, ନୟାଗଡ ଓ ତାଳଚେରରେ ୪୪, ଅନୁଗୁଳରେ ୪୩.୯, ଝାରସୁଗୁଡ଼ାରେ ୪୩.୪, ରାଉରକେଲା, କଟକ, ଢେଙ୍କାନାଳ ଓ ନୂଆପଡାରେ ୪୩.୨, ସୁନ୍ଦରଗଡରେ ୪୨.୭, ଜଗତସିଂହପୁର ଓ ଖୋର୍ଦ୍ଧାରେ ୪୨.୫, କେନ୍ଦ୍ରାପଡାରେ ୪୧.୮, ଫୁଲବାଣୀ, ଭଦ୍ରକ ଓ ରାୟଗଡାରେ ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଅନ୍ୟପଟେ ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିଦେ୍ର୍ଦଶକ ଏଚ୍ ଆର୍ ବିଶ୍ୱାସ । ସେ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି । ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ । ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ । କଟକ ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ସାଙ୍ଗକୁ ଅହସ୍ୟ ଗୁଳୁଗୁଳି ଜାରି ରହିବ । ସ୍ୱାଭାବିକ ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ଦିନ ତାପମାତ୍ରା । ସେପଟେ ରଜରେ ପ୍ରବଳ ଗୁଳୁଗୁଳି ସହ ତାତି ଜାରି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବାବେଳେ ଚଳିତ ବର୍ଷ ୧୪ରୁ ୧୬ ରଜ ପର୍ବରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *