ଶକ୍ତିମନ୍ତ୍ରୀଙ୍କ ସଭାରେ ବିଦୁ୍ୟତ୍ ବିଭ୍ରାଟ
ଭୁବନେଶ୍ୱର,୧୨ା୬(ବୁ୍ୟରୋ): କାଳବୈଶଖୀର ତାଣ୍ଡବ ନ ଥିଲା କିମ୍ବା ପବନ ବୋହୁ ନ ଥିଲା । ତଥାପି ବିଦୁ୍ୟତ୍ କଟିଯାଇଥିଲା । ତାହା ପୁଣି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଏକ ସଭାରେ । ରାଜ୍ୟ ସାରା ବିଦ୍ୟୁତ୍ କାଟ୍ ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜ୍ୟରେ ପାୱାର କଟ୍ ନହେଁ, ପାୱାର ଟ୍ରିପ୍ ହେଉଛି ବୋଲି ପୂର୍ବରୁ କହିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ହେଲେ ସୋମବାର ଶକ୍ତି ମନ୍ତ୍ରୀ ବାଲେଶ୍ୱରର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପୁଣି ବିଦୁ୍ୟତ ବିଭ୍ରାଟ ଦେଖିବାକୁ ମିଳିଥିଲା । ଦାର୍ଘ ସମୟ ଧରି ବିଦୁ୍ୟତ ବିଚ୍ଛିନ୍ନ ହୋଇଥିଲା । ଶକ୍ତିମନ୍ତ୍ରୀଙ୍କ ପାୱାର ଥିଓରୀକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିବା ବେଳେ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।
ଜୁନ୍ ୨ ତାରିଖରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ବାହାନଗାବାସୀ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଶକ୍ତି ମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୋମବାର ଯୋଗ ଦେଇଥିଲେ । ସଭା କାର୍ଯ୍ୟକ୍ରମ ଆରମ୍ଭରୁ ଲାଇନ କଟିଯାଇଥିଲା । ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଜେନେରେଟର ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ତ୍ରୀ ମଞ୍ଚ ଉପରେ ଥିବା ପର୍ଯ୍ୟନ୍ତ ଲାଇନ୍ ଆସି ନ ଥିଲା । ମନ୍ତ୍ରୀ ଷ୍ଟେଜରୁ ଓହ୍ଲାଇ ଆସିବାର ପ୍ରାୟ ଅଧ ଘଣ୍ଟା ପରେ ଲାଇନ ଆସିଥିଲା ।
ଏହି ଘଟଣାକୁ ନେଇ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଛି ଲୋକ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । କାଳବୈଶାଖୀ ନ ଥାଇ ପାଗ ଭଲ ଥିବା ସତ୍ତ୍ୱେ ଶକ୍ତି ମନ୍ତ୍ରୀ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ କାହିଁକି ବିଦ୍ୟୁତ କାଟ ହେଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।