ଆହତଙ୍କଠାରେ ଅସ୍ୱାଭାବିକ ଲକ୍ଷଣ

ବାହାନଗା ଟ୍ରେନ୍ ଟ୍ରାଜେଡି
କଟକ, ୧୧ା୬ (ବୁ୍ୟରୋ): ବାହାନଗା ତ୍ରିପୁଲ ଟ୍ରେନ୍ ଦୁର୍ଘଟଣାରେ ୧୦୦୦ରୁ ଅଧିକ ଆହତ ଯାତ୍ରୀଙ୍କ ମଧ୍ୟରୁ ୧୦୫ ଜଣ କଟକ ଏସ୍ସିବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ଜଣଙ୍କ ଠାରେ ପୋଷ୍ଟ-ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜ୍ଅର୍ଡର (ପିଟିଏସ୍ଟି) ଲକ୍ଷଣ ଦେଖାଦେଇଛି । ଏ ସମ୍ପର୍କିତ ସୂଚନା ଡାକ୍ତରମାନଙ୍କଠାରୁ ମିଳିଛି । ଏହି ଆହତ ଯାତ୍ରୀମାନଙ୍କ ଆଖି ଆଗରେ ଆଜି ମଧ୍ୟ ଜୁନ୍ ଦୁର୍ଘଟଣାର ଭୟାବହ ଦୃଶ୍ୟ ଫୁଟିଉଠୁଛି । ସ୍ୱପ୍ନରେ ଦୁର୍ଘଟଣା ଦୃଶ୍ୟ ଦେଖି ସେମାନଙ୍କ ନିଦ ଭାଙ୍ଗିଯାଉଛି । ଏହିସବୁ ରୋଗୀଙ୍କର କାଉନ୍ସିଲିଙ୍ଗ ଆରମ୍ଭ କରାଯାଇଛି । ଆତ୍ମୀୟମାନଙ୍କ ଉପସ୍ଥିତିରେ ସେମାନଙ୍କ ମନରୁ ଭୟ ଦୂରେଇବା ଉଦ୍ୟମ କରୁଛନ୍ତି ବିଶେଷଜ୍ଞ ।
କ୍ଲିନିକାଲ ସାଇକୋଲଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ଯଶୋବନ୍ତ ମହାପାତ୍ର କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ଆହତ ଲୋକଙ୍କ ମାନସିକ ସ୍ଥିତି ଦେଖି ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ାଯାଉଛି । ହସ୍ପିଟାଲରେ ଥିବା ଏହି ସବୁ ରୋଗୀଙ୍କ କାଉନ୍ସିଲିଙ୍ଗ ଆରମ୍ଭ ହୋଇଛି । ଅତି ସାଙ୍ଘାତିକ ଦୁର୍ଘଟଣାରୁ ବର୍ତ୍ତିଥିବା ଲୋକଙ୍କ ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପଡ଼ିଛି ।
ଡାକ୍ତର ମହାପାତ୍ର କହିଛନ୍ତି, କାଉନ୍ସିଲିଙ୍ଗ ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜଣେ ମନୋଚିକିତ୍ସକ, ଜଣେ ମନୋବୈଜ୍ଞାନିକ, ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଓ ଆହତଙ୍କ ପରିବାରର ଜଣେ ବା ଦୁଇଜଣ ସଦସ୍ୟଙ୍କୁ ରଖାଯାଇଛି ।
ସର୍ଜରୀ ବିଭାଗର ଜଣେ ନର୍ସ କହିଛନ୍ତି, ଚିକିତ୍ସାଧୀନ ଆହତମାନଙ୍କୁ ଠିକ୍ ରୂପେ ନିଦ ହେଉନାହିଁ । ସ୍ୱପ୍ନରେ ଦୁର୍ଘଟଣା ଦୃଶ୍ୟ ଦେଖି ଚମକି ପଡ଼ିବା ସହ ସେମାନଙ୍କ ନିଦ ଭାଙ୍ଗି ଯାଉଛି । ଜଣେ ଆହତ ଯୁବକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ସାଙ୍ଗଙ୍କ ନାଁ ବିଳିବିଳାଇ ନିଦରୁ ଉଠି ପଡୁଛନ୍ତି । କେହି କେହି ଅଧିକାଂଶ ସମୟରେ ହସୁଛନ୍ତି ତ ଆଉ କିଏ ପ୍ରଳାପ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *