ଭାରତକୁ ପ୍ର୍ରଥମ ମୁକୁଟ

ମହିଳା କନିଷ୍ଠ ଏସିଆ କପ୍ ହକି
କାକାମିଗହାରା (ଜାପାନ୍), ୧୧ା୬ (ଏଜେନ୍ସି): ଭାରତ କନିଷ୍ଠ ମହିଳା ଏସିଆ କପ୍ ହକିରେ ଇତିହାସ ରଚିଛି । ରବିବାର ଖେଳାଯାଇଥିବା ଫାଇନାଲ୍ରେ ଭାରତୀୟ ଟିମ୍ ଚାରି ଥର ବିଜେତା ଦକ୍ଷିଣ କୋରିଆକୁ ୨-୧ରେ ହରାଇ ପ୍ରଥମ ଥର ଚାମ୍ପିଅନ୍ ହୋଇଛି । ଭାରତୀୟ ଅଧିନାୟକ ପ୍ରୀତି ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଏହା ପୂର୍ବରୁ ସେମିଫାଇନାଲ୍ରେ ବିଜୟ ସହ ଭାରତ କନିଷ୍ଠ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଥିଲା, ଯାହାକି ନଭେମ୍ବର ୨୯ରୁ ଡିସେମ୍ବର ୧୦ ଯାଏଁ ଚିଲୀର ସାଣ୍ଟିଆଗୋ ଠାରେ ଅନୁଷ୍ଠିତ ହେବ ।
ଫାଇନାଲ୍ରେ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା, ହେଲେ ପ୍ରଥମ କ୍ୱାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା । ଏହି ସମୟରେ କୋରିଆ ଏକ ପେନାଲ୍ଟି କର୍ଣ୍ଣର୍ ଜିତିଥିଲା, କିନ୍ତୁ ନୀଲମ ଏହାକୁ ବିଫଳ କରିଦେଇଥିଲେ ।
ଦ୍ୱିତୀୟ କ୍ୱାର୍ଟର୍ରେ ମଧ୍ୟ କୋରିଆ ଆକ୍ରମଣାତ୍ମକତା ଜାରି ରଖି ଭାରତ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲା । ଟିମ୍ କେତେକ ପିସି ପାଇଥିଲେହେଁ ଭାରତୀୟ ରକ୍ଷଣଭାଗ ଭେଦ କରିପାରି ନ ଥିଲା । ୨୨ତମ ମିନିଟ୍ରେ ଡେଡ୍ଲକ୍ ଭାଙ୍ଗିଥିଲା ଭାରତ । ଅନ୍ନୁ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ପ୍ରତିପକ୍ଷ ଉପରେ ଚାପ ପକାଇଥିଲେ । ସେମିଫାଇନାଲ୍ରେ ଜାପାନ ବିପକ୍ଷରେ ସୁଯୋଗ ହାତଛଡ଼ା କରିଥିବା ଅନ୍ନୁ ଏଥର ଦୃଢ଼ ପ୍ରଦର୍ଶନ କରି କୋରୀୟ ଗୋଲ୍କିପର୍ଙ୍କୁ ହତଚକିତ କରିଦେଇଥିଲେ ।
ତେବେ ଏହାର ତିନି ମିନିଟ୍ ପରେ ଦକ୍ଷିଣ କୋରିଆ ଗୋଲ୍ ପରିଶୋଧ କରିଥିଲେ । ପାର୍କ ସିଓ ୟିଅନ୍ ଏହି ସୁନ୍ଦର ଗୋଲ୍ ଦେଇଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ସ୍ଥିତିରେ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଭାରତ ୪୧ତମ ମିନିଟ୍ରେ ପୁଣି ଥରେ ଅଗ୍ରଣୀ ହାସଲ କରିଥିଲା । ନୀଲମ୍ ଏହି ଜୋର୍ଦାର ଗୋଲ୍ ଦେଇଥିଲେ । ତୃତୀୟ କ୍ୱାର୍ଟର୍ ସୁଦ୍ଧା ଭାରତୀୟ ଟିମ୍ ୨-୧ରେ ଅଗ୍ରଣୀ ରହିଥିଲା । ଅନ୍ତିମ କ୍ୱାର୍ଟର୍ରେ ଦକ୍ଷିଣ କୋରିଆ ପାଖରେ ଗୋଲ୍ ଶୁଝିବା ପାଇଁ ଅନେକ ସୁଯୋଗ ଥିଲା, କିନ୍ତୁ ଗୋଟିଏ ବି କାମରେ ଆସି ନ ଥିଲା ।
ଭାରତ ଏହା ପୂର୍ବରୁ ୨୦୧୨ ସଂସ୍କରଣରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ଥର ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ସ୍ଥାନ ପାଇଥିଲେ । ଏଥିରେ ଟିମ୍ ଫାଇନାଲ୍ରେ ଚୀନ୍ ଠାରୁ ୨-୫ରେ ହାରି ଯାଇଥିଲା ।
ହକି ଇଣ୍ଡିଆର ପୁରସ୍କାର ଘୋଷଣା
ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ଟିମ୍ ଲାଗି ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି । ପ୍ରତି ଖେଳାଳିଙ୍କ ପାଇଁ ଦୁଇ ଲକ୍ଷ ଲେଖାଏଁ ଏବଂ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ଏକ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କରାଯାଇଛି । ଭାରତୀୟ ଟିମ୍ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା ।
ଏହି ସଫଳତା ଚଳିତ ବର୍ଷ ଶେଷ ବେଳକୁ ହେବାକୁ ଥିବା କନିଷ୍ଠ ବିଶ୍ୱକପ୍ରେ ଭାରତର ପରବର୍ତ୍ତୀ ଚାଲେଞ୍ଜ୍ ପାଇଁ ଏକ ମଜଭୁତ ମୂଳଦୁଆ ହେବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *