ସୁପ୍ରିୟା, ପ୍ରଫୁଲ୍ଲ ଏନ୍ସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ
ମୁମ୍ବାଇ, ୧ଠା୬: ଏନ୍ସିପିର ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ଝିଅ ସୁପ୍ରିୟା ସୁଲେ ଓ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ଶରଦ ପାୱାର । ସୁପ୍ରିୟାଙ୍କୁ ପଞ୍ଜାବ ଓ ହରିଆଣାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଫୁଲ୍ଲ ପଟେଲ୍ଙ୍କୁ ମଧ୍ୟ ପ୍ରଦେଶ, ଗୁଜରାଟ ସମେତ ୫ ରାଜ୍ୟର ପ୍ରଭାରୀ କରାଯାଇଛି । ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ସୁପ୍ରିୟାଙ୍କୁ ଦଳର ଅଧ୍ୟକ୍ଷ କରାଇବାର ଏହା ପ୍ରଥମ ପାହାଚ । ପରିବାରବାଦ ଅଭିଯୋଗ ଯେପରି ନ ଆସେ, ସେଥିଲାଗି ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି । ଯଦି ଆଗାମୀ ଦିନରେ ଦଳ ଭିତରେ ଅଜିତ୍ ପାୱାରଙ୍କ ପାଇଁ ପରିସ୍ଥିତି ନ ରହିବ ସେ ବିଜେପିର ଯୋଗ ଦେବା ସମ୍ଭାବନା ରହିଛି । ନତୁବା ସେ ନୂଆ ଦଳ ଗଢ଼ିପାରନ୍ତି ।
ଶରଦ ପାୱାର ତାଙ୍କ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, ପ୍ରଫୁଲ୍ଲ ପଟେଲ୍ ପାଞ୍ଚଟି ରାଜ୍ୟର ପ୍ରଭାରୀ ଦାୟିତ୍ୱ ବହନ କରିବା ସହ ରାଜ୍ୟସଭା କାମ ବି ଦେଖିବେ । ସୁପ୍ରିୟା କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବା ସହ ହରିଆଣା, ପଞ୍ଜାମ, ୟୁପି ଓ ଲୋକସଭାର ସମନ୍ୱୟ କାମ ଦେଖିବେ । ଉଲ୍ଲେଖଯୋଗ୍ୟ, ଦଳର ଅଧ୍ୟକ୍ଷ ପଦରୁ କିଛିଦିନ ପୂର୍ବେ ଶରଦ ପାୱାର ଇସ୍ତଫା ଦେଇଥିଲେ । ପରେ ପରେ ଦଳୀୟ ନେତାମାନଙ୍କ ଚାପରେ ସେ ଇସ୍ତଫାପତ୍ର ପ୍ରତ୍ୟାହାର କଲେ । ଏବେ ସୁପ୍ରିୟା ଓ ପ୍ରଫୁଲ୍ଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରି ଆସନ୍ତା ବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ୍ ବଣ୍ଟନ ସମ୍ବନ୍ଧୀୟ ସ୍ଥିତି ସ୍ପଷ୍ଟ କରିଛନ୍ତି । ଚଳିତ ମାସ ପ୍ରାରମ୍ଭରେ ସେ କହିଥିଲେ ଯେ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ ବେଳେ ବିଜୟ ସମ୍ଭାବନା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ନିକଟରେ ଶରଦ ଏକ ସମୀକ୍ଷା ବୈଠକ ମଧ୍ୟ ଡାକିଥିଲେ । ସେହି ବୈଠକରେ ଦଳ ଭିତରେ ଦଳର ଅର୍ନ୍ତଦ୍ୱନ୍ଦ୍ୱ ପ୍ରସଙ୍ଗରେ କାର୍ଯ୍ୟକର୍ତ୍ତାମାନଙ୍କୁ ତିରସ୍କାର କରିବା ସହ ଦ୍ୱନ୍ଦ୍ୱ ବଢ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ ।