ଝଡ଼ରେ ଭାଙ୍ଗିଲା ଧ୍ୟାନଚାନ୍ଦ ସ୍ମାରକୀ ଷ୍ଟାଚୁ୍ୟ
ଭୁବନେଶ୍ୱର/ ରାଉରକେଲା, ୧୧ ।୬ (ବୁ୍ୟରୋ): ଝଡ଼ ପବନରେ ଢଳିପଡ଼ିଲା ହକି ଖେଳାଳିଙ୍କ ପାଇଁ ସମର୍ପିତ ଷ୍ଟାଚୁ୍ୟ । ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚୁ୍ୟ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା । ‘ଷ୍ଟାଚୁ୍ୟ’ଟି ଷ୍ଟାଡିୟମ୍ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ୱାର ନିକଟରେ ଅବସ୍ଥିତ । ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ଏହାକୁ ସ୍ଥାପନ କରାଯାଇଥିଲା । କାଳବୈଶାଖୀ ଝଡ଼ରେ ତାହା ଭାଙ୍ଗି ପଡ଼ିଛି । ପୁରୁଷ ହକି ବିଶ୍ୱକପ ଉପଲକ୍ଷେ ସହରରେ ହୋଇଥିବା ବିଭିନ୍ନ ଆକର୍ଷଣୀୟ ପ୍ରକଳ୍ପ ମଧ୍ୟରେ ହକି ଖେଳର ଯାଦୁକର ଧ୍ୟାନଚାନ୍ଦଙ୍କ ୪୦ ଫୁଟ୍ ପ୍ରତିମୂର୍ତ୍ତିକୁ ନେଇ ତିଆରି ହୋଇଥିଲା ଏହି ହକି ସ୍ମାରକୀ । ଜନସାଧାରଣଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା । ଏହି ହକିର ପ୍ରତୀକ ଏହାର ଉଚ୍ଚତା ପାଖାପାଖି ୪୦ ଫୁଟ ହେବ । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚୁ୍ୟ ସହ ପାର୍କ ନିର୍ମାଣ କରାଯାଇଛି । ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ । ଏଥିମଧ୍ୟରୁ ଷ୍ଟାଚୁ୍ୟ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବା ବେଳେ ଆଲୋକସଜ୍ଚା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି । ଭୁବନେଶ୍ୱରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଥିଲା । ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ମାତ୍ର ତିନି ମାସ ଭିତରେ ଷ୍ଟାଚୁ୍ୟର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚୁ୍ୟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ସ୍ମାରକୀ ଷ୍ଟାଚୁ୍ୟ କିପରି ଭାଙ୍ଗିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏହାର ତଦନ୍ତ ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।