ଏ ବର୍ଷ ସୁପର୍ ଏଲ୍ ନିନୋ ସଙ୍କେତ
ୱାଶିଂଟନ୍, ୧ଠା୬: ପୃଥିବୀର ପାଣିପାଗକୁ ପ୍ରଭାବିତ କରୁଥିବା ପ୍ରତୀକ୍ଷିତ ଏଲ୍ ନିନୋ ସକ୍ରିୟ ହୋଇଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସ୍ନାଲ୍ ଓସନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡ୍ମିନିଷ୍ଟ୍ରେସନ୍ (ଏନ୍ଓଏଏ)ର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ‘ଏଲ୍ ନିନୋ’ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଯାଇଛି । ଏହା ପୃଥିବୀ ବାୟୁମଣ୍ଡଳକୁ ଆହୁରି ଉତ୍ତପ୍ତ କରିବ । ଫଳସ୍ୱରୂପ ପୃଥିବୀ ୧.୫ ସେଣ୍ଟିଗ୍ରେଡ୍ ୱାର୍ମିଂ ମାଇଲ୍ଷ୍ଟୋନ୍ ଅତିକ୍ରମ କରିବ । ଏଲ୍ ନିନୋ ଯୋଗୁଁ ୨୦୨୪ ପୃଥିବୀ ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ ହୋଇ ପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଏଲ୍ ନିନୋ ପ୍ରଭାବରେ ମୌସୁମୀ ବର୍ଷାରେ ବ୍ୟାପକ ବିଭ୍ରାଟ ଘଟିବା ସହ ଅଷ୍ଟ୍ରେଲିଆରେ ମରୁଡ଼ି ପରିସ୍ଥିତି ଉପୁଜିପାରେ । ସେହିପରି ଅନ୍ୟ ମହାଦେଶ ଯଥା ଉତ୍ତର ଆମେରିକାରେ ମାତ୍ରାଧିକ ବର୍ଷା ହୋଇପାରେ । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁ୍ୟଏମ୍ଓ) ପୂର୍ବରୁ ଏଲ୍ ନିନୋ ଚେତାବନୀ ଜାରି କରି ଜୁଲାଇ ଶେଷ ସୁଦ୍ଧା ଏହା ସଂଘଟିତ ହୋଇପାରେ ।
ବୈଜ୍ଞାନିକମାନେ କହିଛନ୍ତି, ଚଳିତବର୍ଷର ଏଲ୍ ନିନୋ ପ୍ରକ୍ରିୟା ଆଗାମୀ ବସନ୍ତଋତୁ ପର୍ଯ୍ୟନ୍ତ ଜାରି ରହିବ ଏବଂ ବର୍ଷ ଶେଷ ବେଳକୁ ପିକ୍ରେ ପହଞ୍ଚିବ । ପରିଣତିରେ ୨୦୨୪ରେ ବିଶ୍ୱତାପନରେ ନୂଆ ରେକର୍ଡ଼ ସୃଷ୍ଟି ହେବ । ଏଲ୍ ନିନୋ ଏକ ବର୍ଷିକ ପ୍ରାକୃତି ପ୍ରକ୍ରିୟା ନୁହେଁ । ଏହା ୨ରୁ ୭ ବର୍ଷ ବ୍ୟବଧାନରେ ଦେଖାଦିଏ । ଏହି ସମୟରେ ପ୍ରଶାନ୍ତ ମହାସାଗରର ବିଷୁବମଣ୍ଡଳୀୟ ଇଲାକା ଅନ୍ତର୍ଗତ ଜଳରାଶିର ଉପରିଭାଗ ଅତ୍ୟଧିକ ଉତ୍ତପ୍ତ ହୋଇ ବାୟୁମଣ୍ଡଳର ତାପମାତ୍ରା ବଢାଇଦିଏ । ୧୯୮୨-୮୩ ଓ ୧୯୯୭-୯୮ର ଏଲ୍ ନିନୋ ଘଟଣାବଳୀ ବିଂଶ ଶତାବ୍ଦୀରେ ପୃଥିବୀର ଜଳବାୟୁକୁୁ ଖୁବ୍ ପ୍ରଭାବିତ କରିଥିଲା । କାରଣ ଏହି ଦୁଇ ବର୍ଷର ଏଲ୍ ନିନୋ ଥିଲା ସବୁଠାରୁ ପ୍ରବଳ । ୧୯୮୨-୮୩ରେ ଏଲ୍ ନିନୋ ପ୍ରକ୍ରିୟା ଜାରି ରହିଥିଲା ବେଳେ ପୂର୍ବ ଉଷ୍ଣକଟିବନ୍ଧୀୟ ପ୍ରଶାନ୍ତ ମହାସାଗରେ ସମୁଦ୍ର ଜଳରାଶିର ଉପରିଭାଗ ତାପମାତ୍ରା ୯-୧୮ ଡିଗ୍ରୀ ସେଲ୍ସିୟସ୍ ବଢ଼ି ଯାଇଥିଲା । ୧୯୯୭-୯୮ର ଏଲ୍ ନିନୋ ଘଟଣାବଳୀ ବୈଜ୍ଞନିକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ଦେଇଥିଲେ । ସେ ବର୍ଷ ଇଣ୍ଡୋନେସିଆ, ମାଲେସିଆ ଓ ଫିଲିପିନ୍ସରେ ଘୋର ମରୁଡ଼ି ହେଲା । କିନ୍ତୁ ପେରୁ ଓ କାଲିଫର୍ନିଆରେ ଅତି ବୃଷ୍ଟି ଯୋଗୁଁ ବଡ଼ଧରଣର ବନ୍ୟା ଦେଖାଦେଇଥିଲା । ମଧ୍ୟ ପଶ୍ଚିମରେ ଏତେ ଗ୍ରୀଷ୍ମ ଅନୁଭୂତ ହେଲା ଯେ ଲୋକେ ତାହାକୁ ଶୀତବିହୀନ ବର୍ଷ କହିଲେ । ଏକବିଂଶ ଶତାବ୍ଦୀର ସବୁଠାରୁ ପ୍ରଚଣ୍ଡ ଏଲ୍ ନିନୋ ସୃଷ୍ଟି ହୋଇଥିଲା ୨୦୧୬ରେ । ୨୦୧୬ର ରେକର୍ଡ ୨୦୨୪ରେ ଭାଙ୍ଗିବା ଆକଳନ କରାଯାଉଛି ।
ଏଲ୍ ନିନୋ ଘଟଣା ସର୍ବ ପ୍ରଥମେ ପେରୁର ମତ୍ସ୍ୟଜୀବୀମାନେ ଚିହ୍ନଟ କରିଥିଲେ । ସେମାନେ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିôବା ବେଳେ ଜଳରାଶି ମାତ୍ରାଧିକ ଭାବେ ତାତି ଥିବା ଜାଣିବାକୁ ପାଇଥିଲେ । ସ୍ପେନୀୟମାନେ ଏହାକୁ ଏଲ୍ ନିନୋ ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ ‘ଛୋଟ ବାଳକ’ । ପରେ ପରେ ଏହା ଉପରେ ପାଣିପାଗ ବିଶେଷଜ୍ଞମାନେ ଗବେଷଣା କରି ଜାଣିବାକୁ ପାଇଲେ ଯେ ଏହା ଏକ ନିୟମିତ ଚକ୍ର ନୁହେଁ । ତେଣୁ ଏଲ୍ ନିନୋ ସମ୍ପର୍କରେ ଭବିଷ୍ୟବାଣୀ କରାଯାଇ ପାରିବ ନାହିଁ ।