ଭାରତକୁ ୨୮ଠ ଆବଶ୍ୟକ

ଡବ୍ଲୁ୍ୟଟିସି ଫାଇନାଲ୍, ଚତୁର୍ଥ ଦିବସ
ଲଣ୍ଡନ, ୧୦ା୬ (ଏଜେନ୍ସି): ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲ୍ରେ ଭାରତକୁ ୪୪୪ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ଚତୁର୍ଥ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ବିରାଟ କୋହଲି ୪୪ ଓ ଅଜିଙ୍କ୍ୟ ରାହାଣେ ୨୦ ରନ୍ କରି ଅପରାଜିତ ଥିଲେ । ମ୍ୟାଚ୍ର ଶେଷ ଦିନ ରୋହିତ ସେନାକୁ ବିଜୟ ପାଇଁ ୨୮୦ ରନ୍ ଆବଶ୍ୟକ ।
ଦ୍ୱିତୀୟ ଇନିଂସ୍ରେ ବି ଭାରତୀୟ ଟିମ୍ର ଶୀର୍ଷକ୍ରମ ବ୍ୟାଟର୍ କିଛି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ୪୧ ରନ୍ରେ ଭାଙ୍ଗିଥିଲା । ଗିଲ୍ (୧୮) ସ୍କଟ୍ ବୋଲାଣ୍ଡଙ୍କ ବାହାରକୁ ଯାଉଥିବା ଗୁଡ୍ଲେନ୍ଥ ବଲ୍ରେ ସ୍ଲିପ୍ରେ କାମରନ୍ ଗ୍ରୀନ୍ଙ୍କୁ କ୍ୟାଚ୍ ଦେଇଥିଲେ । ଏମିତି ଲାଗୁଥିଲା ଯେ ବଲ୍ ଘାସକୁ ଛୁଇଁଛି, ଏପରିସ୍ଥଳେ ଫିଲ୍ଡ ଅମ୍ପାୟାର୍ ଅପିଲ୍କୁ ଥାର୍ଡ ଅମ୍ପାୟାର୍ଙ୍କ ପାଖକୁ ପଠାଇଥିଲେ । ଥାର୍ଡ ଅମ୍ପାୟାର୍, ଗିଲ୍ଙ୍କୁ ଆଉଟ୍ ଦେଇଥିଲେ । ପରେ ଏହି କ୍ୟାଚ୍କୁ ନେଇ ବିବାଦ ଉପୁଜିଥିଲା ।
ଏହାପରେ ରୋହିତ ନୂଆ ବ୍ୟାଟର୍ ଚେତେଶ୍ୱର ପୂଜାରାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ମିଶି ୫୧ ରନ୍ର ଭାଗୀଦାରୀ କରିଥିଲେ । ରୋହିତ (୪୩)ଙ୍କୁ ଆଉଟ୍ କରି ନାଥନ୍ ଲାୟନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ସେ ମିଡିଲ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍କୁ ସ୍ୱିପ୍ କରିବା ପ୍ରୟାସରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଟିମ୍ର ସ୍କୋର୍ ୯୩ ହୋଇଥିବା ବେଳେ ପୂଜାରା (୨୭)ଙ୍କ ୱିକେଟ୍ ପଡ଼ିଥିଲା । ସେ ପାଟ୍ କମିନ୍ସଙ୍କ ସର୍ଟ ପିଚ୍ ବଲ୍ରେ ଅପର୍ କଟ୍ କରିବାକୁ ଚାହୁଁଥିଲେ, କିନ୍ତୁ ବଲ୍ ୱିକେଟ୍କିପର୍ ଆଲେକ୍ସ କାରୀଙ୍କ ହାତକୁ ଯାଇଥିଲା ।
ଏହାପରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଇତ୍ୟବସରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ଟେଷ୍ଟ ରନ୍ ପୂରଣ କରିଥିଲେ ।
ଏହା ପୂର୍ବରୁ ଅଷ୍ଟ୍ରେଲୀୟ ଟିମ୍ ୧୨୩/୪ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୨୭୦/୮ ସ୍କୋର୍ରେ ଇନିଂସ୍ ସମାପ୍ତି ଘୋଷଣା କରିଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ମାର୍ନସ ଲାବୁସନେ ଓ କାମରନ୍ ଗ୍ରୀନ୍ଙ୍କ ଯୋଡ଼ି ଶୀଘ୍ର ଭାଙ୍ଗିଥିଲା । ଲାବୁସନେ (୪୧) ନିଜ ପୂର୍ବ ଦିନର ସ୍କୋର୍ରେ ଆଉ କୌଣସି ରନ୍ ଯୋଗ କରି ନ ପାରି ଉମେଶ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଗ୍ରୀନ୍ (୨୫)ଙ୍କୁ ରବୀନ୍ଦ୍ର ଜାଡ଼େଜା ପାଭିଲିଅନ୍ ପଠାଇଥିଲେ । ଏହାପରେ ଆଲେକ୍ସ କାରୀ ଓ ମିଚେଲ୍ ଷ୍ଟାର୍କଙ୍କ ପ୍ରୟାସ ଯୋଗୁଁ ଇନିଂସ୍ ୨୫୦ ଅତିକ୍ରମ କରିଥିଲେ । ଉଭୟଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ୯୩ ରନ୍ର ଭାଗୀଦାରୀ ହୋଇଥିଲା । ଷ୍ଟାର୍କ ୪୧ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଧିନାୟକ ପାଟ୍ କମିନ୍ସ (୫) ମଧ୍ୟ ଶାମୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । କାରୀ ୬୬ ରନ୍ କରି ଅପରାଜିତ ଥିଲେ ।
ଭାରତ ପକ୍ଷରୁ ଜାଡ଼େଜା ୩, ଶାମୀ ଓ ଯାଦବ ୨ ଲେଖାଏଁ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *