୧୭ରେ ଢେଙ୍କାନାଳ ଆସିବେ ଶାହା
ଢେଙ୍କାନାଳ/ଭୁବନେଶ୍ୱର,୧୦ା୬(ଆପ୍ର/ବୁ୍ୟରୋ): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ବର୍ଷ ପୂର୍ତ୍ତି ଅବସରେ ଦଳ ତରଫରୁ ଆୟୋଜିତ ମହାଜନସମ୍ପର୍କ ଅଭିଯାନ ସମାବେଶରେ ସେ ସ୍ଥାନୀୟ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ପୂର୍ବାହ୍ନ ୧୧ଟାରେ ଯୋଗଦେବେ । ଏହି ବିଶାଳ ସମାବେଶରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରୁ ୪୦ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଯୋଗଦେବାର କାର୍ଯ୍ୟକ୍ରମ ଅଛି । ସମାବେଶ ପରେ ଜାତୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବେ । ଉଭୟ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେବେ ।
ସମାବେଶରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେବାର କାର୍ଯ୍ୟକ୍ରମ ଅଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ସମ୍ପାଦକ ତଥା ଢେଙ୍କାନାଳ ଲୋକସଭା ପ୍ରଭାରୀ ସୀମାଂଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ନିରଞ୍ଜନ ମିଶ୍ର, ଶାରଦା ପ୍ରସନ୍ନ ପ୍ରଧାନ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ମହାଜନ ସର୍ମ୍ପକ ଅଭିଯାନର ସଂଯୋଜକ ରାମଚନ୍ଦ୍ର ପାତ୍ର, ସହସଂଯୋଜୀକା ଇତିଶ୍ରୀ ସାହୁଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଅମିତ ଶାହାଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୨ରେ ଓଡିଶା ଗସ୍ତରେ ଆସିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି, ମେ’ ୩୧ରୁ ଆରମ୍ଭ ହୋଇଥିବା ମହା ଜନସମ୍ପର୍କ ଅଭିଯାନ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଆଜମେରଠାରେ ମହାର୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରଛନ୍ତି । ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର୍ୟାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉଦ୍ଧ୍ୱର୍ ଜନସଭା ଅନୁଷ୍ଠିତ ହେବ । ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।ସୂଚନା ଯୋଗ୍ୟ , ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ଭାରତୀୟ ଜନତା ପାର୍ଟୀ ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରିଛି । ପ୍ରତ୍ୟେକ କ୍ଲଷ୍ଟରରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବେ । ଆମ ଓଡିଶା ରାଜ୍ୟରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି । ୯ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫର୍ୁ ଏକ େଓ୍ôବସାଇଟ ଲଞ୍ଚ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟୀ ଏକ ମିସ୍ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଞ୍ଚ କରାଯାଇଛି । ଘର ଘର ସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘର ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିବେ । ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଡିଜିଟାଲ ର୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ।