ବିଜେପି ଷ୍ଟ୍ରାଟେଜିରେ  ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧ଠା୬: ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି କଂଗ୍ରେସକୁ ପରାସ୍ତ କରି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ବିଜେପିର ପରବର୍ତ୍ତୀ ଶିକାର ହେଲେ ବିଭିନ୍ନ ଆଞ୍ଚଳିକ ଦଳ । ଫଳତଃ ଅନେକ ସହଯୋଗୀ ଦଳ ଏନ୍ଡିଏରୁ ଅଲଗା ହୋଇଗଲେ । ଏବେ ବିରୋଧୀ ଦଳମାନେ ଏକଜୁଟ ହେବା ପ୍ରୟାସ ଜାରି ରଖିଥିବା ପରିପ୍ରେକ୍ଷୀରେ ବିଜେପି ତା’ର ରଣକୌଶଳରେ ବଡ଼ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛି ।
ବିଜେପି ତା’ର ଆକ୍ରମକ ବିସ୍ତାରବାଦୀ ଏଜେଣ୍ଡାକୁ ଛାଡ଼ି ୨୦୨୪ ନିର୍ବାଚନ ପାଇଁ ସହଯୋଗୀ ଦଳମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ତାମିଲନାଡୁରେ ଏଆଇଏଡିଏମ୍କେ, ମହାରାଷ୍ଟ୍ରରେ ଶିନେ୍ଦଙ୍କ ଶିବସେନା ଓ ହରିଆଣାରେ ଜନନାୟକ ଜନତା ପାର୍ଟିକୁ ଛାଡ଼ିଦେଲେ କେନ୍ଦ୍ରରେ ବିଜେପି ପାଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ନାହାନ୍ତି, ଯେଉଁମାନେ ରାଜ୍ୟସ୍ତରରେ ଦଳ ପାଇଁ ବିଶେଷ ସହାୟକ ହେବେ । ଦକ୍ଷିଣ ଭାରତରେ ନିଜର ସବୁଠାରୁ ସୁରକ୍ଷିତ ଦୁର୍ଗ ଥିବା କର୍ଣ୍ଣାଟକକୁ ହରାଇବା ପରେ ଦାଣିଣାତ୍ୟ ରାଜ୍ୟଗୁଡ଼ିକ ପାଇଁ ବିଜେପି ଆଉ ଆଶାବାଦୀ ହୋଇ ରହିନାହିଁ । ଦକ୍ଷିଣ ଭାରତରେ କଂଗ୍ରେସକୁ ହଟାଇ ଆଞ୍ଚଳିକ ଦଳମାନେ ଦୃଢ଼ ଆସ୍ଥାନ ଜମାଇଛନ୍ତି । ଏହା ହିଁ ବିଜେପି ମାର୍ଗରେ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଛି ।
ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡିଙ୍କ ୱାଇଏସ୍ଆର୍ କଂଗ୍ରେସ କଂଗ୍ରେସକୁ ଉଧେଇବାକୁ ଦେଉନାହିଁ ଏବଂ ବିଜେପି ମଧ୍ୟ ଆନ୍ଧ୍ରରେ ନିଜ ସ୍ଥିତି ଦୃଢ଼ କରିପାରୁ ନାହିଁ । ବିଜେପି ପାଇଁ ଜଗନ ଠିକ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି । ଜଗନ ନବୀନଙ୍କ ମାର୍ଗରେ ଚାଲୁଛନ୍ତି । ସେ ନବୀନଙ୍କ ଭଳି ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ବଜାୟ ରଖି ଆସିଛନ୍ତି । ଏହି ସୂତ୍ରରେ ଉଭୟ ନବୀନ ଓ ଜଗନ ମୋଦି ସରକାରଙ୍କ ସହ କାମଚଳା ସମ୍ପର୍କ ରଖି ଆସିଛନ୍ତି । ବିଜେପିର ସେଣ୍ଟ୍ରାଲ୍ କମାଣ୍ଡ୍ ୨୦୨୪ ଲୋକସଭା ନିର୍ବାଚନ ପରବର୍ତ୍ତୀ ସ୍ଥିତି ପ୍ରତି ଧ୍ୟାନ ଦେଇ ନବୀନ ଓ ଜଗନଙ୍କୁ ପରମ ମିତ୍ର ଭାବେ ଗ୍ରହଣ କରିଛି । ମୋଟାମୋଟି ଭାବେ ଆନ୍ଧ୍ରରେ ବିଜେପି ଏକ ଅସାମଞ୍ଜସ ସ୍ଥିତିରେ ଅଛି ।
ପଡ଼ୋଶୀ ତେଲେଙ୍ଗାନା ନେଇ ବିଜେପି ଅବଶ୍ୟ ଅଶାବାଦୀ ଅଛି । ତେଲେଙ୍ଗାନାରେ ଟିଡିପିକୁ ସହଯୋଗୀ କରିବା ଉଦ୍ୟମ ଜାରି ରଖିଛି ବିଜେପି । କର୍ଣ୍ଣାଟକ ପରାଜୟ ପରେ ବିଜେପି ଆଉ ରିସ୍କ ନେବା ମୁଡ୍ରେ ନାହିଁ । ପଞ୍ଜାବ ଏକ ପ୍ରମୁଖ ରାଜ୍ୟ, ଯେଉଁଠି ବିଜେପି ପାଇଁ ଏକ ସହଯୋଗୀ ଦଳ ଜରୁରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *