କାମ ନ କଲେ ମନ୍ତ୍ରୀ ବି ବିଦା

ବାଦ୍ ପଡ଼ିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ
ଭୁବନେଶ୍ୱର,୯ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତି ଆଗରେ ମନ୍ତ୍ରୀ ବି ବାଦ୍ ପଡ଼ିନାହାନ୍ତି । ଉଚ୍ଚ ଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ମୁଖ୍ୟମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛନ୍ତି । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି । ଏହା ସହିତ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।
ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ ସମୀକ୍ଷା ରିପୋର୍ଟରେ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନ ବା ଖରାପ ରହିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବାରୁ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା ହୋଇଥିଲେ ।
ପ୍ରତିବର୍ଷ ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନେ ନିଜ ପ୍ରଦର୍ଶନ ସମ୍ପର୍କିତ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥାନ୍ତି । ଚଳିତ ବର୍ଷର ରିପୋର୍ଟ କାର୍ଡରେ ପ୍ରଦର୍ଶନ ଭଲ ନ ଥିବାରୁ ଶ୍ରୀ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଦିଆଯାଇଛି ।
ଅପରପକ୍ଷରେ ମନ୍ତ୍ରୀ ପଦୀରୁ ହଟିବା ପରେ ଶ୍ରୀ ପୂଜାରୀ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୋର କିଛି ଦୁଃଖ ନାହିଁ । ନୂଆ ମନ୍ତ୍ରୀ ହୋଇଥିଲି । ଆହୁରି ସମୟ ଅଛି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ନିଷ୍ଠାର ସହ କରିବି । ମୁଖ୍ୟମନ୍ତ୍ରୀ ମୋତେ ସବୁ କ୍ଷେତ୍ରରେ ଆଶୀର୍ବାଦ କରିଛନ୍ତି । ତାଙ୍କ ଯୋଗୁଁ ମୁଁ ଦୁଇ ଦୁଇ ଥର ବିଧାୟକ, ଉପ ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ହୋଇଛି । ମନ୍ତ୍ରୀ ଭାବେ ମୁଁ ମୋର ବେଷ୍ଟ୍ ଏଫର୍ଟ ଦେଇଛି । କିନ୍ତୁ ମୋ କାର୍ଯ୍ୟ ହୁଏତ ମୁଖ୍ୟମନ୍ତ୍ରୀଙ୍କ ଆଶାନୁରୂପ ହୋଇପାରିନି । ଯଦିଓ ବିଭାଗୀୟ ସମୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି, ତେବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ବିଶେଷଜ୍ଞ । କେତେକ ରାଜନୈତିକ ପଣ୍ଡିତଙ୍କ କହିବା କଥା, ସିଙ୍ଗାପୁର ଗସ୍ତ ଶେଷ କରି ଓଡିଶା ଫେରିବାର ଗୋଟିଏ ଦିନ ପରେ ରୋହିତ ପୂଜାରୀଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ମନ୍ତ୍ରିପଦରୁ ହଟାଯିବାର କାରଣ ଯାହା ଦର୍ଶାଯାଉଛି ବାସ୍ତବରେ ତାହା ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ଶ୍ରୀ ପୂଜାରୀ ଦଳର କେତେକ ବରିଷ୍ଠ ନେତାଙ୍କୁ ଟାର୍ଗେର୍ଟ କରି ୬୦ ବର୍ଷ ବୟସ ପରେ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଥିଲେ । ଏବେ ତାହା ଶ୍ରୀ ପୂଜାରୀଙ୍କୁ ମହଙ୍ଗା ପଡିଛି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *