ନେତାଙ୍କ ଫରେନ୍ ଟୁର୍: ହଜିଗଲା ମାନବିକତା
ଭୁବନେଶ୍ୱର, ୯ା୬(ବୁ୍ୟରୋ): ଶତାବ୍ଦୀର ସବୁଠାରୁ ଭୟଙ୍କର ଦୁର୍ଘଟଣାର ମୂକସାକ୍ଷୀ ହୋଇଛି ଓଡ଼ିଶା । ଦୁର୍ଘଟଣାର ଛାତିଥରା ଦୃଶ୍ୟ ଏବଂ କୁଢ କୁଢ ଶବର ବୀଭତ୍ସ ପାହାଡ଼ ସମଗ୍ର ବିଶ୍ୱବାସୀଙ୍କୁ ବିଚଳିତ କରିଦେଇଛି । ଏହି ହୃଦୟବିଦାରକ ମର୍ମନ୍ତୁଦ ଦୁର୍ଘଟଣା ସାଧାରଣ ମଣିଷର ମାନସିକ ଭାରସାମ୍ୟକୁ ଚହଲାଇ ଦେଇଛି । ଏଭଳି ଦୁର୍ଦ୍ଦିନରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ ଏବଂ ଆତ୍ମୀୟଙ୍କୁ ଶବ ହସ୍ତାନ୍ତର ଭଳି ଗୁରୁଦାୟିତ୍ୱ ବିଏମ୍ସି ଏବଂ ସିଏମ୍ସି ମୁଣ୍ଡାଇ ଥିବା ବେଳେ ଦୁଇ ମେୟରଙ୍କ ବିଦେଶ ଭ୍ରମଣ ସମସ୍ତଙ୍କୁ ଆଚମ୍ବିତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୋର ବିଧାୟକ ପର୍ଶୁରାମ ଧଡା ମଧ୍ୟ ସମ୍ପୂର୍ଣ୍ଣ ମାନବିକା ଭୁଲି ବିଦେଶ ଭ୍ରମଣ କରିବା ସହିତ ଫଟୋ ପୋଜ୍ ଦେଇଥିଲେ ଯାହାକୁ ଦୁର୍ଭାଗ୍ୟଜନକ ବୋଲି କହି ଶାସକ ଦଳକୁ ସମାଲୋଚନା କରିଛନ୍ତି ବିରୋଧୀ ।
ବାହାନଗା ରେଳ ଦୁର୍ଘଟଣା ଘଟିଲା ୨ ତାରିଖ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟାରେ । ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ଦେଶରେ ବିଜୁଳି ବେଗରେ ଖେଳିଗଲା । ମୃତାହତଙ୍କ ଉଦ୍ଧାର ଏବଂ ସେମାନଙ୍କର ଚିକିତ୍ସାକୁ ପ୍ରାଥମିକତା ଦେଇ ସ୍ଥାନୀୟ ଜନସାଧାରଣଙ୍କଠାରୁ ଆରମ୍ଭ କରି ସରକାରୀ କଳ ତତ୍ପର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏସବୁର ତଦାରଖ କରି ପ୍ରଶାସନିକ କଳକୁ ଯୁଦ୍ଧକାଳୀନ ମୋଡ୍କୁ ନେଇ ଆସିଥିଲେ ।
ରାତାରାତି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଏସ୍ଆର୍ସିଙ୍କ କଣ୍ଟ୍ରୋଲ୍ ରୁମ୍କୁ ଯାଇ ସ୍ଥିତି ସମୀକ୍ଷା କରିଥିଲା ବେଳେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସ୍ଆର୍ସି ସତ୍ୟବ୍ରତ ସାହୁ, ଡିଜିପି ସୁନୀଲ ବଂଶଲ, ପରିବହନ କମିସନର ଅମିତାଭ ଠାକୁର ଏବଂ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ରେ ଆହତମାନଙ୍କ ଚିକିତ୍ସା ଲାଗି ରାତାରାତି ବ୍ୟବସ୍ଥା କରାଯାଇଥିଲା । ଆହତଙ୍କ ସମ୍ପର୍କୀୟମାନଙ୍କ ପାଇଁ ସିଏମ୍ସି ଏବଂ ବିଏମ୍ସି ପକ୍ଷରୁ ହେଲ୍ପଲାଇନ୍ ବ୍ୟବସ୍ଥା କରାଯାଇଥିଲା । ସାରା ରାତି ସମସ୍ତେ ଉଜାଗର ରହି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ସ୍ଥିର କଲେ । ବିପଦର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶନିବାର ସକାଳୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ସିଙ୍ଗାପୁର ଉଡ଼ାଣ ଆରମ୍ଭ କରୁଥିବା ବିମାନରେ ବସି ସିଙ୍ଗାପୁର ଯାତ୍ରା କରିଥିଲେ କଟକ ମେୟର ସୁବାସ ସିଂହ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ ଲୋକ ଲାଗି ପଡ଼ିଥିଲା ବେଳେ ଅଞ୍ଚଳର ପ୍ରତିନିଧି ସୋର ବିଧାୟକ ପର୍ଶୁରାମ ଧଡ଼ା ମଧ୍ୟ ବିଦେଶ ଗସ୍ତରେ ସାମିଲ ହୋଇଗଲେ । ରାଜ୍ୟ ସରକାରଙ୍କ ସୌଜନ୍ୟରୁ ପ୍ରଥମ ସିଙ୍ଗାପୁର ଉଡ଼ାଣରେ ନିଜକୁ ସାମିଲ କରିବାର ଗୌରବକୁ ଏମାନେ ହାତଛଡ଼ା କଲେ ନାହିଁ । ସାରା ରାତି ଟିଭି ଓ ମୋବାଇଲ୍ ରେ ଘୂରି ବୁଲୁଥିବା କୁଢ କୁଢ ଶବର ଫଟୋ ଏବଂ ଡାକ୍ତରଖାନାକୁ ବୁହା ହେଉଥିବା ଆହତଙ୍କ ଆର୍ତ୍ତ ଚିକ୍ରାର ସେମାନଙ୍କ ହୃଦୟକୁ ଛୁଇଁଲା ନାହିଁ । ସରକାରୀ ଖର୍ଚ୍ଚରେ ବିଦେଶ ମଉଜମସ୍ତି ଆଗରେ ହଜିଗଲା ମାନବିକତା ।