ଆହ୍ୱାନପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ
ଡବ୍ଲୁ୍ୟଟିସି ଫାଇନାଲ୍, ତୃତୀୟ ଦିବସ
ଲଣ୍ଡନ, ୯ା୬ (ଏଜେନ୍ସି): ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲ୍ରେ ଟିମ୍ ଇଣ୍ଡିଆ ପାଇଁ ଏକ ଆହ୍ୱାନପୂର୍ଣ୍ଣ ସ୍ଥିତି ଉପୁଜିଛି । ତୃତୀୟ ଦିନ ରୋହିତ ସେନା ପ୍ରଥମ ଇନିଂସ୍ରେ ୧୭୩ ରନ୍ ପଛରେ ଥାଇ ଅଲ୍ଆଉଟ୍ ହେବା ପରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଛି । ମାର୍ନସ ଲାବୁସନେ ୪୧ ଓ କାମେରନ୍ ଗ୍ରୀନ୍ ୭ ରନ୍ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ଏବେ ୨୯୬ ରନ୍ରେ ଆଗରେ ରହିଛି ।
ବଞ୍ଚାଇଲେ ରାହାଣେ-ଠାକୁର
ଭାରତୀୟ ଟିମ୍ ଶୁକ୍ରବାର ୧୫୧/୫ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୨୯୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଅଜିଙ୍କ୍ୟ ରାହାଣେ (୮୯ ରନ୍୍) ଓ ଶାର୍ଦ୍ଦୂଳ ଠାକୁର (୫୧) ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଟିମ୍କୁ ଫଲୋଅନ୍ ବିପଦରୁ ବଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ୧୦୯ ରନ୍ର ଭାଗୀଦାରୀ ହୋଇଥିଲା ।
ପ୍ରଥମ ସତ୍ରରେ ଭାଗ୍ୟ ଭାରତକୁ ସହାୟ ହୋଇଥିଲା । ଏହି ସମୟରେ ଭାରତୀୟ ବ୍ୟାଟର୍ଙ୍କୁ ତିନି ଜୀବନଦାନ ମିଳିଥିଲା । ବିପକ୍ଷ ବୋଲର୍ ପାଟ୍ କମିନ୍ସ ୩ ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ, ସ୍କଟ୍ ବୋଲାଣ୍ଡ ଓ କାମେରନ୍ ଗ୍ରୀନ୍ଙ୍କୁ ୨ ଲେଖାଏଁ ଏବଂ ନାଥନ୍ ଲାୟନ୍ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
ପୂର୍ବ ଦିନ କ୍ରିଜ୍ରେ ଥିବା ଅଜିଙ୍କ୍ୟ ରାହାଣେ ଓ ଶ୍ରୀକର ଭରତଙ୍କ ଯୋଡ଼ି ଶୀଘ୍ର ଭାଙ୍ଗିଥିଲା । ଭରତ ୫ ରନ୍ କରି ବୋଲାଣ୍ଡଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ରାହାଣେ ନୂଆ ବ୍ୟାଟର୍ ଠାକୁରଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ରାହାଣେ ତାଙ୍କ ଟେଷ୍ଟ କ୍ୟାରିଅରର ୨୯ତମ ଅର୍ଦ୍ଧଶତକ ଲଗାଇଥିବା ବେଳେ ଟେଷ୍ଟରେ ୫୦୦୦ ରନ୍ ପୂରଣ କରିଥିଲେ ।
ଟିମ୍ର ସ୍କୋର୍ ୨୬୧ ହୋଇଥିବା ବେଳେ ଶତକ ଆଡ଼କୁ ଅଗ୍ରସର ହେଉଥିବା ରାହାଣେଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ କମିନ୍ସ । ରାହାଣେ ୧୨୯ ବଲ୍ ଖେଳି ୧୧ ଚୌକା ଓ ୧ ଛକା ସହାୟତାରେ ୮୯ ରନ୍ କରିଥିଲେ ।
ପରବର୍ତ୍ତୀ ବ୍ୟାଟର୍ ଉମେଶ ଯାଦବ ମାତ୍ର ୫ ରନ୍ କରି କମିନ୍ସଙ୍କ ଆଉ ଏକ ଶିକାର ହୋଇଥିଲେ । ଠାକୁର (୫୧) ଅର୍ଦ୍ଧଶତକ ପୂରଣ କରିବା ପରେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ଗ୍ରୀନ୍ଙ୍କ ବଲ୍ରେ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ । ମହମ୍ମଦ ଶାମୀ (୧୩) ଶେଷ ବ୍ୟାଟର୍ ଭାବେ ଷ୍ଟାର୍କଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଭାରତୀୟ ବୋଲର୍ଙ୍କ ପ୍ରଭାବ
୧୭୩ ରନ୍ରେ ଆଗରେ ଥାଇ ଅଷ୍ଟ୍ରେଲୀୟ ଟିମ୍ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୪ ରନ୍ରେ ଦୁଇ ଓପନର୍ଙ୍କୁ ହରାଇଥିଲେ ।
ଡେଭିଡ୍ ୱାର୍ଣ୍ଣର ମାତ୍ର ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଉସ୍ମାନ ଖୱାଜା (୧୩)ଙ୍କୁ ଉମେଶ ଯାଦବ ଆଉଟ୍ କରିଥିଲେ । ଏହାପରେ ମାର୍ନସ ଲାବୁସନେ ଓ ଷ୍ଟିଭେନ୍ ସ୍ମିଥ୍ ତୃତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଗ କରିଥିଲେ । ସ୍ମିଥ୍ ଏଥର ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଥିଲେ । ସେ ବ୍ୟକ୍ତିଗତ ୩୪ ରନ୍ରେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପୂର୍ବ ଇନିଂସ୍ରେ ସର୍ବାଧିକ ସ୍କୋର୍ କରିଥିବା ଟ୍ରେଭିସ୍ ହେଡ୍ (୧୮) ବି ଜାଡ଼େଜାଙ୍କ ଶିକାର ହୋଇଥିଲେ ।