ସୁଧ ହାର ଅପରିବର୍ତ୍ତିତ
ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ଘୋଷଣା
ମୁମ୍ବାଇ, ୮ା୬: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ଗୁରୁବାର ମୁଦ୍ରା ନୀତି ଘୋଷଣା କରିଛି । ୨୦୨୪ ଆର୍ଥିକ ବର୍ଷ ପାଇଁ ଏହା ଦ୍ୱିତୀୟ ମୁଦ୍ରା ନୀତି । ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରା କମିଟିର ସମସ୍ତ ସଦସ୍ୟଙ୍କ ସମ୍ମତି କ୍ରମେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ । ଏହା ୬.୫ ପ୍ରତିଶତ ରହିବ । ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ମଧ୍ୟ ୬.୨୫ ପ୍ରତିଶତରେ ରହିବ । ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାରରେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ଜୁନ୍ ୬ ରୁ ଜୁନ୍ ୮ ପର୍ଯ୍ୟନ୍ତ ମୁଦ୍ରା ନୀତି କମିଟିର ବୈଠକ ହୋଇଥିଲା । ରେପୋ ରେଟ୍ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଶ୍ରୀ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟକୁ ଅପରବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ରେପୋ ରେଟ ପୂର୍ବଭଳି ୬.୫% ରହିବ । ୨୦୨୩-୨୪ ଅ ।ର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪%ରୁ ଅଧିକ ରହିବ । ସିପିଆଇ ବା ଗ୍ରାହକ ଦର ସୂଚକାଙ୍କ ୫.୨%ରୁ କମି ୫.୧% ରହିପାରେ । ସେହିପରି ଜିଡିପି ଅଭିବୃଦ୍ଧି ୬.୫% ରହିବାର ସମ୍ଭାବନା ରହିଛି । ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟରରେ ପ୍ରକୃତ ଜିଡିପି ବା ଅଭିବୃଦ୍ଧି ୮% ରହିବାର ଆଶା ରହିଛି । ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ କ୍ୱାର୍ଟରରେ ଏହା ୫.୭%କୁ ଖସିବା ଆଶଙ୍କା ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ନିବେଶରେ ଏବେ ସୁଧାର ଆସିଛି । ମୌସୁମୀ ମଧ୍ୟ ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଇଛି । ଆର୍ବିଆଇ ଦରବୃଦ୍ଧି ଉପରେ ନଜର ରଖିଛି । ଗତ ମାସରେ ଆମଦାନୀ ହ୍ରାସ ପାଇବାରୁ ବ୍ୟବସାୟରେ ହେଉଥିବା କ୍ଷତିରେ ସୁଧାର ଆସିଛି । ବିଦେଶ ମୁଦ୍ରା ପାଣ୍ଠି ମଧ୍ୟ ଭଲ ସ୍ଥିତିରେ ରହିଛି । ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ଭାଙ୍ଗି ୭.୭୯% ରହିଥିବା ମୁଦ୍ରା ନୀତି ବୈଠକରେ ଆଲୋଚନା ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା ।