୨୩ରୁ ସ୍ପେଶାଲ୍ ଡ୍ରାଇଭ୍
ହାଇ ସୁକୁ୍ୟରିଟି ନମ୍ବର ପ୍ଲେଟ୍
ଭୁବନେଶ୍ୱର,୮ା୬(ବୁ୍ୟରୋ): ରାଜ୍ୟରେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡି ଚାଳକଙ୍କୁ ଏବେ ଚେତାବନୀ ଦିଆଯାଇଛି । ଏହି ନମ୍ବର ପ୍ଲେଟ ଲାଗି ନ ଥିଲେ ଫାଇନ୍ ଆଦାୟ କରାଯିବ । ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ ।
ଯାଞ୍ଚ ବେଳେ ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ । ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ହେବ । ଏନେଇ ଅତିରିକ୍ତ ଟ୍ରାନ୍ସପାର୍ଟ କମିଶନର୍ ଏବଂ ଏନଫାର୍ସମେଣ୍ଟ ଲାଲମାହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଛନ୍ତି ।
ପରିବହନ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗେଇବାର ଅବଧି ଚଳିତ ବର୍ଷ ଫେବ୍ରୁଆରୀ ୨୮ରୁ ଶେଷ ହୋଇଛି । କିନ୍ତୁ ଦେଖାଯାଉଛି ଯେ କିଛି ଗାଡି ହାଇ ସୁକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନ ଲାଗି ରାସ୍ତାରେ ଗଡ଼ୁଛି । ଚଳିତ ମାସ ୭ ତାରିଖ ସୁଦ୍ଧା ମୋଟ୍ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡି ମାଲିକ ଏଚ୍ଏସ୍ଆର୍ପି ସ୍ଲଟ୍ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡିରେ ଏଚ୍ଏସ୍ଆର୍ପି ଲଗାଯାଇଛି । ପ୍ରାୟ ୫ ଲକ୍ଷ ଗାଡ଼ିରେ ଏଚ୍ଏସ୍ଆର୍ପି ଲଗାଯାଇନି । ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହନ ମାଲିକମାନଙ୍କୁ ଶୀଘ୍ର ଏଚ୍ଏସ୍ ଆର୍ପି ଲଗାଇବାକୁ ପରାମର୍ଶ ଦିଆଯାଇଛି ।
ଏମ୍ଭି ଆକ୍ଟ ୧୯୮୮ର ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ ଏଚ୍ଏସ୍ଆର୍ପି ନଥିବ, ତେବେ ସେହି ଗାଡି ବିରାଧରେ ଇ-ଚାଲାଣ ଜାରି କରାଯିବ । ଗାଡ଼ି ଚାଳକଙ୍କ ଠାରୁ ଏବାବଦରେ ଜାରିମାନା ଆଦାୟ କରାଯିବ । ଏମ୍ଭିଆର, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ ଏଚ୍ଏସ୍ଆର୍ପି ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପରିବହନ ବିଭାଗ କହିଛି ।